ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ, କରୋନା ପାଇଁ ଭାଙ୍ଗିଲା ୪୪୫ ବର୍ଷର ପରମ୍ପରା

0

ସୌମ୍ୟ ରଞ୍ଜନ ପଟ୍ଟନାୟକ

ବାରିପଦା, (ସବ୍ୟୁ) : ଜୁନ ୨୪:ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ଜଗନ୍ନାଥ ମନ୍ଦିରଙ୍କ ରଥଯାତ୍ରା ବନ୍ଦ । ମନ୍ଦିରର ଇତିହାସରେ ପ୍ରଥମଥର ପାଇଁ ରଥଯାତ୍ରା ବନ୍ଦ ହୋଇଛି । ତେଣୁ ୪୪୫ ବର୍ଷର ପରମ୍ପରା ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ବନ୍ଦ ହୋଇଛି । ପରମ୍ପରା ଅନୁ୍‌ଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୁଏ ରଥଯାତ୍ରା । ତେବେ ଚଳିତବର୍ଷ କରୋନା ମହାମାରୀ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ କ୍ରମେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବନ୍ଦ ହୋଇଛି ରଥଯାତ୍ରା । ମନ୍ଦିର ପରିସର ସହ ବାରିପଦା ବଡଦାଣ୍ଡ, ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ ଠାରୁ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ଓ ଏମକେସି ହାଇସ୍କୁଲ ପେଟ୍ରୋଲପମ୍ପ ନିକଟରୁ ଟ୍ରାଫିକଛକ ପର୍ଯ୍ୟନ୍ତ ଲାଗିଛି ୧୪୪ ଧାରା । ଫଳରେ ପୋଲିସ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳର କଟକଣା ଜାରି ସହ ଦୋକାନ ବଜାର ବନ୍ଦ କରିଦିଆଯାଇଛି । ଫଳରେ ରଥଯାତ୍ରା ନହୋଇ ବଡଦାଣ୍ଡ ହୋଇପଡିଛି ଖାଁଖାଁ । ମହାପ୍ରଭୁଙ୍କୁ ଦର୍ଶନ କରିନପାରି ଭକ୍ତମାନେ ହତାସ ହୋଇପଡିଛନ୍ତି । ତେବେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜୀଉମାନଙ୍କୁ ମନ୍ଦିର ପରିସର ଐଶାନ୍ୟ କୋଣରେ ରଖାଯାଇ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହେଉଅଛି । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସହ ଜିଲ୍ଲାରେ ମୋଟ୍ ୧୦୧ଟି ଜଗନ୍ନାଥ ମନ୍ଦିରରେ ଚଳିତବର୍ଷ କରୋନା ପାଇଁ ରଥଯାତ୍ରା ବନ୍ଦ ରହିବା ସହ ୧୪୪ଧାରା ଲାଗୁ କରାଯାଇଛି ।

Leave A Reply

Your email address will not be published.