ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତୀ ସାମ୍ବାଦିକ ସମ୍ମିଳନୀ; ଓଡିଆଙ୍କ ବିକାଶ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର : ଜୁନ ୦୧:ଓଡ଼ିଶାର ବିକାଶ ଓ ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରଣ ହୋଇଛି । ଏହି ଗୋଟିଏ ବର୍ଷରେ ମୋଦି ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଓଡିଶାର ବିକାଶ ଓ ଦୁର୍ବିପାକ ମୁକାବିଲାରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡିଶା । ଏହି ଗୋଟିଏ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ଥିଲା ଶ୍ରୀ ମହାନ୍ତି କହିଛନ୍ତି ଯେ, ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ଅଗ୍ରିମ ଆକାରରେ ଦେଇଥିଲେ ୩୪୧ କୋଟି । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ରରୁ ଆଗୁଆ ଅର୍ଥ ଦେବାରେ ମୋଦି ସରକାର ଥିଲେ ପ୍ରଥମ । ବାତ୍ୟା ପରେ ପରେ ପ୍ରଧାନମନ୍ତ୍ରୀ ମୋଦି ଆଉ ୧ ହଜାର କୋଟି ଟଙ୍କା ଦେଲେ । ସମ୍ପୃର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ଆହୁରି ୩୩୩୮ କୋଟି ଟଙ୍କା ଓଡିଶାକୁ ମିଳିଲା । ମୋଟାମୋଟି ଭାବେ ୪୬୭୯ କୋଟି ଟଙ୍କା ମିଳିଥିଲା କେବଳ ଫନି ମୁକାବିଲା ପାଇଁ । ସେହିପରି ଅମ୍ଫନ ବାତ୍ୟାରେ ଓଡିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡିଶାକୁ ଦେଇଛନ୍ତି । ୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ଟିକସରେ ରାଜ୍ୟର ଅଂଶ ବାବଦରେ ଓଡିଶା ପାଉଛି ୩୬,୩୦୦ କୋଟି ଟଙ୍କା । ସେହିପରି ଚଳିତ ଆର୍ଥୀକ ବର୍ଷରେ ୨୦୨୦-୨୧ରେ ଓଡିଶା କେନ୍ଦ୍ରୀୟ ଅନୁଦାନ ବାବଦରେ ପାଉଛି ୩୨,୦୦୦ କୋଟି ଟଙ୍କା । ଓଡିଶାକୁ ବର୍ଷ ୨୦୨୦-୨୧ ରେଳ ବଜେଟରେ ଓଡିଶାକୁ ମିଳିଛି ୫୨୯୬ କୋଟି ଟଙ୍କା । ମୋଦି ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଅର୍ଥ । ଚଳିତ ବର୍ଷ ୨୦୨୦ରେ ପଦ୍ମ ପୁରସ୍କାରରେ ଓଡିଶାରୁ ୧୨ ଜଣ ଓଡିଆ ସମ୍ମାନିତ ହୋଇଛନ୍ତି ଯାହା ଏକ ରେକର୍ଡ । ଏବେ ସୁଦ୍ଧା ବାହାରେ ରହୁଥିବା ଓଡିଆ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଓଡିଶାକୁ ୧୭୮ଟି ଟ୍ରେନ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାଶି ଶ୍ରମିକଙ୍କୁ ଓଡିଶା ଫେରାଇ ଅଣାଯାଇଛି । ରାଜ୍ୟର ବିକାଶ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ମୋଦି ସରକାରଙ୍କର ବିଶେଷ ପଦକ୍ଷେପ ସଂପର୍କରେ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.