ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ ନନ୍ଦୁରାମ, ଚନ୍ଦ୍ରକାନ୍ତ

0

ଭୁବନେଶ୍ୱର : ଜୁନ ୧୭:ଲଦାଖର ଗଲ୍‌ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି । ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଏ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ହୋଇନି । ସୂଚନା ଅନୁସାରେ, ସହିଦ ଯବାନ ନନ୍ଦୁରାମ ସୋରେନ୍‌ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଚମ୍ପାରଦା ଗାଁରେ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ବିଅରପାଙ୍ଗା ଗାଁର ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ(୨୮) । ୬ ବର୍ଷ ତଳେ ଚନ୍ଦ୍ରକାନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ । ବିହାର ୧୬-ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ । ଦୁଇ ବର୍ଷ ପୂର୍ବେ ସେ ଲଦାଖରେ ଡ୍ୟୁଟି କରୁଥିଲେ । ମିଳିଥିବା ସୂଚନା ଅନୁସାରେ, ୧୫ ତାରିଖ ସନ୍ଧ୍ର୍ୟା ଓ ରାତିରେ ଚୀନ୍‌ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖାର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା । ଏହାକୁ ଭାରତୀୟ ସେନା ତୀବ୍ର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା । ପରେ ଏହା ଉଗ୍ରରୂପ ନେବା ସହ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଗଲ୍‌ୱାନ୍‌ ଉପତ୍ୟକାର ୧୪ ନମ୍ବର ପାଟ୍ରୋଲ୍‌ ପଏଣ୍ଟରେ ଏହି ଗଣ୍ଡଗୋଳ ଘଟିଥିଲା । ବୁଝାମଣା ପରେ ଚୀନ ସେନା ଉପତ୍ୟକାରୁ ହଟିଥିଲେ । ହେଲେ ଚୀନ ସେନା ପକ୍ଷରୁ ପ୍ରଥମେ ଭାରତର କମାଣ୍ଡିଙ୍ଗ ଅଫିସରଙ୍କୁ ଲୁହାରଡ଼ ଓ ପଥରରେ ଆକ୍ରମଣ କରାଯାଇଥିଲା । ଯାହାର ପାଲଟା ଜବାବ ଦେଇଥିଲେ ଭାରତୀୟ ଯବାନ । ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା ।

Leave A Reply

Your email address will not be published.