ଦେଶରେ କୋଭିଡ-19 ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 41.61 ଶତକଡାରେ ପହଞ୍ଚିଛି

ଭୁବନେଶ୍ୱର: ମେ ୨୬:କୋଭିଡ-19କୁ ପ୍ରତିହତ କରିବା ତଥା ତତଜନିତ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି । ସର୍ବୋଚ୍ଚ ସ୍ତରରେ ନିୟମିତ ଭାବରେ ଏହାର ତଦାରଖ ଓ ସମୀକ୍ଷା କରାଯାଉଛି ।

ସଂକ୍ରମଣ ଯେପରି ଅଧିକ ନହୁଏ ତା’ର ପ୍ରତିହତ କରିବା ପାଇଁ ଅନେକ ପ୍ରଶାସନିକ ପଦକ୍ଷେପ ନିଆଯାଉଛି । ହାତ ଧୋଇବା, ନିଶ୍ଵାସ ପ୍ରଶ୍ଵାସର ଶୁଦ୍ଧତା, ବିଭିନ୍ନ ସ୍ଥାନକୁ ସ୍ପର୍ଶ ନକରିବା ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏଥିସହିତ ନିୟମିତ ଭାବେ ମାସ୍କ ବ୍ୟବହାର କରିବା ସହ ବୟସ୍କମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତ୍ଵକୁ ଏକ ସାମାଜିକ ଟୀକା ଭାବେ ବିବେଚନା କରାଯାଉଛି ।

ଭାରତ ବର୍ତ୍ତମାନ ଏହାର ନମୁନା ପରୀକ୍ଷଣ ସାମର୍ଥ୍ୟ ଯଥେଷ୍ଟ ବୃଦ୍ଧି କରିଛି । ଦେଶରେ  ଏବେ ଦିନକୁ ପ୍ରାୟ 1.1 ଲକ୍ଷ ନମୁନା ପରୀକ୍ଷା କରାଯାଉଛି । ଅଧିକ ପରୀକ୍ଷାଗାର, ସିଫ୍ଟ, ଆରଟି-ପିସିଆର ମେସିନ ଓ ଏଦିଗରେ ସଂଶ୍ଳିଷ୍ଟ ମାନବ ସମ୍ବଳ ବୃଦ୍ଧି କରାଯାଇ ନମୁନା ପରୀକ୍ଷାକୁ ବହୁଗୁଣିତ କରାଯାଇପାରିଛି । ଆଜି ଦେଶରେ 612ଟି ପରୀକ୍ଷାଗାର ଥିବାବେଳେ ସେଥିରୁ 430ଟି ଆଇସିଏମଆର ଦ୍ଵାରା ପରିଚାଳିତ ହେଉଛି । ଏହାଛଡା 182ଟି ଘରୋଇ କ୍ଷେତ୍ରର ପରୀକ୍ଷାଗାର ରହିଛି । କରୋନା ଲକ୍ଷଣ ନଥିବା ପ୍ରବାସୀ ଶ୍ରମିକଙ୍କୁ ଘରୋଇ ଏକାନ୍ତବାସ ଓ ଲକ୍ଷଣଯୁକ୍ତ ମାନଙ୍କ ନିମନ୍ତେ ନମୁନା ପରୀକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି । ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ସରକାର ଏନଟିଇପି ଅନୁସାରେ କୋଭିଡ-19 ପରୀକ୍ଷା ପାଇଁ ଏନଏଟି ମେସିନର ଉପଯୋଗ କରୁଛନ୍ତି । ଗତ କିଛି ମାସ ମଧ୍ୟରେ ସ୍ଵଦେଶୀ ଜ୍ଞାନ କୌଶଳରେ ପିସିଆର କିଟ, ଭିଟିଏମ ସ୍ଵାବ ଓ ଆରଏନଏ ସଂଗ୍ରହ କିଟର ଉତ୍ପାଦନ ବୃଦ୍ଧି କରାଯାଇଛି ।

ଦିନକୁ ଦିନ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 41.61 ଶତକଡାରେ ପହଞ୍ଚିଛି । ଏପର୍ଯ୍ୟନ୍ତ 60,490 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଏବେ ମୃତ୍ୟୁ ହାର 3.30 ପ୍ରତିଶତରୁ ହ୍ରାସ ପାଇ 2.87ରେ ପହଞ୍ଚିଛି । ଏହି ହାର ବିଶ୍ଵରେ ସର୍ବନିମ୍ନ । ବର୍ତ୍ତମାନ ବିଶ୍ଵରେ ମୃତ୍ୟୁ ହାର 6.45 ରହିଛି ।

ଏକ ବିଶ୍ଳେଷଣରୁ ଜଣାଯାଇଛି ଯେ, ଆମ ଦେଶରେ 1 ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର ହେଉଛି 0.3 ଭାଗ । ମାତ୍ର ବିଶ୍ଵରେ 1 ଲକ୍ଷ ଜନ ସଂଖ୍ୟାରେ ଏହି ହାର 4.4 ରହିଛି । ସମୟୋଚିତ ପରୀକ୍ଷା ଓ ସଂକ୍ରମିତଙ୍କୁ ଚିହ୍ନଟ କରି ଚିକିତ୍ସା ଯୋଗୁଁ ଆମ ଦେଶରେ ମୃତ୍ୟୁ ହାର କମ ରହିଛି ।

Comments are closed.