ଦେଶରେ ଏବେ ମୋଟ ପ୍ରାୟ ୧୭ ଲକ୍ଷ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି

ଭୁବନେଶ୍ୱର:ଅଗଷ୍ଟ ୧୩:ଭାରତରେ କରୋନା ମୁକାବିଲା କ୍ଷେତ୍ରରେ ଆଜି ଏକ ନୂଆ ସଫଳତା ମିଳିଛି । ଗୋଟିଏ ଦିନରେ ରେକର୍ଡ ସର୍ବାଧିକ 56,383 ଜଣ ରୋଗମୁକ୍ତ ହୋଇଛନ୍ତି । ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ପାଖାପାଖି ପହଞ୍ଚିଛି । ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା 16,95,982 ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଓ ସହଯୋଗ ମୂଳକ ଉଦ୍ୟମ ତଥା ଲକ୍ଷ ଲକ୍ଷ ସମ୍ମୁଖ କୋଭିଡ୍‌ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଲଢେଇ ଫଳରେ ଏହି ସଫଳତା ମିଳିଛି । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟିଂ (ପରୀକ୍ଷା, ଠାବ ଓ ଚିକିତ୍ସା) ଏହି 3ଟି ବିଷୟକୁ ଅତି ଅଧିକ ଗୁରୁତ୍ୱ ଦିଆଯାଇ କରୋନା ମୁକାବିଲା କରାଯାଉଛି । ଏଥିସହିତ ଚିକିତ୍ସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା ସଙ୍ଗରୋଧ ଓ ଗୃହରୋଧ ବ୍ୟବସ୍ଥା, ସଫଳ ଚିକିତ୍ସା ପରିଚାଳନା ଏବଂ ଅତି ଗୁରୁତର ତଥା ଜଟିଳ ରୋଗୀଙ୍କ ସ୍ୱତନ୍ତ୍ର ସେବା ଯତ୍ନ ଫଳରେ ଆରୋଗ୍ୟ ହାର ବଢୁଛି । କେନ୍ଦ୍ରର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ପରାମର୍ଶରେ ରୋଗୀମାନଙ୍କର ଚିକିତ୍ସା ଓ ସେବାଯତ୍ନ କରାଯାଉଛି । ଆଜିସୁଦ୍ଧା ଆରୋଗ୍ୟ ହାର 70.77 ପ୍ରତିଶତ ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ମୃତ୍ୟୁହାର ଆହୁରି ହ୍ରାସ ପାଇ 1.96 ପ୍ରତିଶତରେ ପହଞ୍ଚିଛି ।

ଆଜିକାର ଏହି ରେକର୍ଡ ଆରୋଗ୍ୟ ସଂଖ୍ୟା ଦେଶରେ କରୋନା ରୋଗୀଙ୍କ କ୍ରମାଗତ ଆରୋଗ୍ୟ ହାରକୁ ଅଧିକ ନିଶ୍ଚିତ କରିଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର 27.27 ଶତାଂଶ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତଙ୍କଠାରୁ ଆରୋଗ୍ୟଙ୍କ ସଂଖ୍ୟା 10 ଲକ୍ଷରୁ ଅଧିକ ରହିଛି । ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6,53,622 ଅଛି । (PIB)

Comments are closed.