ଦୁଇଦିନିଆ ସଟ୍‌ଡାଉନ୍‌: ଭୁବନେଶ୍ୱରର ୪୩ ଜାଗାରେ ନାକାବନ୍ଦୀ

ଭୁବନେଶ୍ୱର: ଜୁନ ୫ :ରାଜ୍ୟ ସରକାର ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଭୁବନେଶ୍ୱରରେ ମଧ୍ୟ ସଟ୍‌ଡାଉନ୍‌ ଘୋଷଣା ହୋଇଛି । ଏହାକୁ କଡାକଡିଭାବେ ପାଳନ କରିବା ପାଇଁ ସହରର ୪୩ ଟି ପ୍ରମୁଖ ସ୍ଥାନରେ ନାକାବନ୍ଦି କରାଯାଇଛି । ଜରୁରୀ କାମ ନଥାଇ କୌଣସି ବ୍ୟକ୍ତି ଯେପରି ରାସ୍ତାରେ ଚଳାଚଳ ନକରିବେ ଓ ଯାନବାହନ ଯିବାଆସିବା ନକରିବ ସେଥିପ୍ରତି କଡା ଦୃଷ୍ଟି ଦିଆଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଜୁନ୍‌ ମାସ ସବୁଠାରୁ ସମ୍ବେଦନଶୀଳ ହୋଇଥିବାରୁ ସଟ୍‌ଡାଉନ୍‌ ସମୟରେ ନିୟମ କାନୁନ୍‌କୁ କୌଣସି ମତେ ଢିଲା କରିବାକୁ ଦିଆଯିବନାହିଁ । କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ବ୍ୟକ୍ତି ଓ ଯାନବାହନ ଚଳାଚଳ କରିପାରିବେ । ଏହି ସମୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଧ୍ୟ କଫୁ୍ୟ ବଳବତ୍ତର ରହିଛି ।
ଏଣୁ ଏହି ସମୟରେ ସାଧାରଣ ନାଗରିକଙ୍କୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ । ବାହାଘର କିମ୍ବା ଶେଷକୃତ୍ୟ ପାଇଁ ଯିବାକୁ ହେଲେ, ସ୍ଥାନୀୟ ଥାନାରୁ ସ୍ୱୀକୃତି ଆଣିବାକୁ ପଡ଼ିବ । ଏହି ସ୍ୱୀକୃତି ବଳରେ କର୍ଫ୍ୟୁ କିମ୍ବା ସଟ୍‌ଡାଉନ୍‌୍‌ ସମୟରେ ଯାଇପାରିବେ । ବାହାଘରରେ ସର୍ବାଧିକ ୫୦ ଲୋକ ଓ ଶେଷକୃତ୍ୟରେ ସର୍ବାଧିକ ୨୦ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି । କେଉଁମାନେ ଯିବେ ଓ କେଉଁ ଗାଡି ବ୍ୟବହାର ହେବ ତାହାର ତଥ୍ୟ ଲିଖିତ ଭାବରେ ଜଣାଇବାପରେ ପୋଲିସ ପକ୍ଷରୁ ଅନୁମତି ଦିଆଯିବ । ଏହାର ବ୍ୟତିକ୍ର ହେଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣକରାଯିବ ବୋଲି କମିଶରେଟ୍‌ ପୋଲିସ ପକ୍ଷରୁ ସତର୍କ କରିଦିଆଯାଇଛି ।
ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ଓ ଅନ୍ୟମାନେ ନିଜର ପରିଚୟପତ୍ର ବ୍ୟବହାର କରି ଚଳପ୍ରଚଳ କରିପାରିବେ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ କରିବେ । ଏହି ଅବଧି ମଧ୍ୟରେ ସେମାନେ କାମ ସାରିବା ପାଇଁ ପରାମର୍ଶ ଦିଆଯାଇଛି । ଜରୁରୀକାଳୀନ ସେବାରେ ଥିବା ସମସ୍ତ କର୍ମଚାରୀ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବାକୁ ବାଧ୍ୟ ବୋଲି ସ୍ପଷ୍ଟ କରାଯାଇଛି ।

Comments are closed.