ଦିନକରେ ଭଞ୍ଜନଗରରେ ୩୩ ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢିଲା

0

Report: Dilip Chawda

ଭଞ୍ଜନଗର : ଜୁଲାଇ ୧୬: ଦିନକରେ ଭଞ୍ଜନଗରରେ ୩୩ କରୋନା ପଜିଟିଭ୍ ଚିହ୍ନଟ ପରେ ଏହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି । କରୋନା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ଅଧିକ କଠୋର ହେବାର ଆବଶ୍ୟକତା ରହିଛିବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମତ ରଖିଛନ୍ତି । ସାଧାରଣ ଲୋକଙ୍କ ଜୀବନ ରକ୍ଷା ଉପରେ ଅଧିକ ଫୋକସ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଦିନକରେ ୩୩ କରୋନା ପଜିଟିଭ୍ ମଧ୍ୟରୁ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ ସହରରୁ ୨୦ଜଣ ଓ ୩ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ସରକାରୀ ସୁଚନା ଅଧାରରରେ ଜଣାପଡିଛି । ଅପରପକ୍ଷରେ ଅମାନିଆଙ୍କୁ ସାବାଡ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ କଟକଣାକୁ ଅଧିକ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯାଇଛି । ଅମାନିଆକୁ ଗୋଡାଇ ପିଟୁଛି ପୁଲିସ । ଜିରୋ ଟେଲରେନ୍ସକୁ ଆପଣାଇବାକୁ ଜିଲ୍ଲା ପୁଲିସ ପ୍ରଶାସନର ନିର୍ଦ୍ଦେଶ ପରେ ପୁଲିସ ଅଧିକ କଠୋର ହେଉଛି । ସେହିପରି କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭଞ୍ଜନଗର ସହରର ୨ଟି ଔଷଧ ଦୋକାନ ଓ ଜଗନ୍ନାଥପ୍ରସାଦର ଗୋଟିଏ ଔଷଧ ଦୋକାନକୁ ସିଲ କରାଯାଇଛି । ସୁଚନାଯୋଗ୍ୟଯେ ଗତମାସ ୨୫ ତାରିଖରୁ ଭଞ୍ଜନଗର ସହରର ବହୁ ପ୍ରମୁଖ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାବେଳେ ତାହା ଆଜିଯାଏଁ ବଳବତ୍ତର ରହିଛି । କେବଳ ଜୁଲାଇ ୮ ତାରିଖ ଦିନକ ପାଇଁ ୧୦ ଘଣ୍ଟା କଟକଣାକୁ କୋହଳ କରାଯାଇଥିବାବେଳେ ଏବେ ପୁଣିଥରେ ସଟ୍ ଡାଉନ୍ ଅବଧିକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବଢାଇ ଦିଆଯାଇଛି । ଏଥିନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଛି ।
ଅପରପକ୍ଷରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଥାଇ ମଧ୍ୟ ଗ୍ରାମାଞ୍ଚଳରେ ଖାଦ୍ୟ ସଂକଟ ଦେଖାଦବା ଆଶଙ୍କା କ୍ରମଶଃ ବଳବତ୍ତର ହେଉଛି । କଟକଣା ଯୋଗୁଁ ଗ୍ରାମାଞ୍ଚଳ ବ୍ୟବସାୟୀମାନେ ଆଉ ସହରକୁ ଆସି ଆବଶ୍ୟକୀୟ ସାମଗ୍ରୀ ଖରିଦ କରିପାରୁନାହାନ୍ତି । ଫଳରେ ଏଭଳି ସମସ୍ୟା ଦେଖାଦେଲାଣି । ଆଗକୁ ଏହା ଅଧିକ ସଂଗୀନ ହେବା ଆଶଙ୍କା କରାଯାଉଛି । ଖାସ ଏଇଥିପାଇଁ ଭଞ୍ଜନଗର ସହରର ବହୁ ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟବସାୟୀ ସଂଘ ସାଧାରଣ ଲୋକଙ୍କ ଆବଶ୍ୟକତା ପୁରଣ ପାଇଁ ପ୍ରଶାସନ କିଛି ଦିନ କଟକଣା କୋହଳ କରିବାକୁ ଦାବୀ କରିଛନ୍ତି । ଫଳରେ ଗାଆଁ ଗହଳି ସମେତ ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିପାରିବବୋଲି ବ୍ୟବସାୟୀ ସଂଘ ସ୍ପଷ୍ଟ କରିଛି । ଯଦି ଏଭଳି କଟକଣା ଜାରୀ ରହିବ ତେବେ ଖାଦ୍ୟ ସାମଗ୍ରୀ ମହଦୁଦ ଥାଇମଧ୍ୟ ଗାଆଁ ଗହଳିରେ ଲୋକମାନେ ଖାଦ୍ୟ ସଂକଟର ସମ୍ମୁଖୀନ ହେବେବୋଲି ସଂଘ ପକ୍ଷରୁ ସଭାପତି ଗୌରୀ ଶଙ୍କର ପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ସରକାରୀ ନୀତି ନିୟମକୁ ବ୍ୟବସାୟୀ ସଂଘ ସଂପୂର୍ଣ୍ଣଭାବେ ଗ୍ରହଣ କରୁଛି । ସରକାରଙ୍କ ସମସ୍ତ ଗାଇଡ ଲାଇନକୁ ମଧ୍ୟ ସଂଘ ମାନୁଛି । ତେଣୁ ଗାଇଡ ଲାଇନ ଭିତ୍ତିରେ ଅନ୍ୟ ସହର ଭଳି ଭଞ୍ଜନଗର ସହରରେ ମଧ୍ୟ କଟକଣା କୋହଳ କରିବା ଜରୁରୀ ହୋଇପଡିଛି । ସ୍ଥାନୀୟ ପ୍ରଶାସନ ଏଦିଗରେ ସଂଘର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତଥାପି କୌଣସି ନିଷ୍କର୍ଷ ବାହାରି ପାରିନଥିବା କହିଛି ବ୍ୟବସାୟୀ ସଂଘ । ଅନ୍ୟପକ୍ଷରେ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୁରଣ ଦିଗରେ ପ୍ରଶାସନ ଚିନ୍ତା କରୁଛି ଓ କଣ୍ଟେନମେଣ୍ଟ ଜୋନ ହଟିବା ପରେ ଏନେଇ ବିଚାର କରାଯିବବୋଲି ଏଡିଏମ୍ ବିଶାଲ ସିଂ ବ୍ୟବସାୟୀ ସଂଘକୁ ଆଶ୍ୱସନା ଦେଇଛନ୍ତି ।
ସେହିପରି ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏନଏସିର ସମସ୍ତ ସ୍ୱଚ୍ଛ ସାଥୀ ଓ କୋଭିଡ ମନିଟରଙ୍କ ଏକ ବୈଠକ କରି ୱାର୍ଡ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱଚ୍ଛ ସାଥୀ ଓ କୋଭିଡ ମନିଟରମାନେ ନିଜ ନିଜ ୱାର୍ଡରେ ଘରକୁ ଘର ବୁଲି ଲୋକଙ୍କୁ କରୋନା ସମ୍ପର୍କିତ ସଚେତନତାକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ ଯେକୌଣସି ଲକ୍ଷଣଥିବା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ତାଙ୍କୁ ତୁରନ୍ତ କୋଭିଡ କେର ସେଣ୍ଟରକୁ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଗୃହ ସଂଗରୋଧରେ ରହିଥିବା ବ୍ୟକ୍ତିବିଶେଷଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନଏସି ପରିସରରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ବିଶାଲ ସିଂ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନୀଲ କୁମାର ସେଠୀ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.