ଦଦରାଲୁଣ୍ଡାରେ ବୋମା ମାଡ ଓ ଯୁବକର ମୃତ୍ୟୁ ଘଟଣାରେ ୫ ଗିରଫ

ଭଞ୍ଜନଗର (ସବ୍ୟୁ) : ଅଗଷ୍ଟ ୨୦:ଦଦରାଲୁଣ୍ଡାରେ ବୋମା ମାଡ ଓ ଜଣେ ଯୁବକର ମୃତ୍ୟୁ ଘଟଣାରେ ଶେଷରେ ଭଞ୍ଜନଗର ପୁଲିସକୁ ମିଳିଛି ସଫଳତା । ଏହି ମାମଲାରେ ସ୍ଥାନୀୟ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସୂଚନା ପ୍ରକାରେ ଦଦରାଲୁଣ୍ଡାରେ ଚଳିତମାସ ୧ ତାରିଖରେ କମେଣ୍ଟମରା ଘଟଣାକୁ ନେଇ ପ୍ରଥମେ ଦୁଇଗୋଷ୍ଟୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଗାଆଁରେ ହିଁ ଏହାର ସମାଧାନ ହୋଇଯାଇଥିଲା । ପୁଣିଥରେ ୪ ତାରିଖରେ ମଧ୍ୟ ଏହାକୁ ନେଇ ପାଟିତୁଣ୍ଡ ହୋଇ ପୁଣି ସମାଧାନ ହୋଇଥିଲା । ତେବେ ଏହି ଘଟଣାରେ ଉଭୟଗୋଷ୍ଠି ଭିତରେ ଭିତରେ କୁହୁଳୁଥିଲେ । ପରସ୍ପରକୁ ଚେକ୍ ଦେବାକୁ ଛକାପଞ୍ଛା ଲାଗିରହିଥିବାବେଳେ ୭ ତାରିଖ ରାତିରେ ପୁଣି ପୂର୍ବ କମେଣ୍ଟମରା ଘଟଣାକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଉ ରାତି ପାଖାପାଖି ସାଢେ ୮ଟାରେ ଗାଆଁରେ ବୋମାମାଡ ଭଳି ଘଟଣା ଘଟିଥିଲା । ଏଥିରେ ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ ଓରଫ ଟୁକୁନା ନାମକ ଜଣେ ୩୦ବର୍ଷର ଯୁବକଙ୍କର ମୃତ୍ୟୁ ଘଟିଥିଲା । ଆଉ ଏହି ଘଟଣାକୁ ନେଇ ଦଦରାଲୁଣ୍ଡାରେ ଚପା ଉତ୍ତେଜନା ଲାଗିରହିଥିବାବେଳେ ନିଜେ ଗଞ୍ଜାମ ଏସପି ବ୍ରିଜେଶ ରାୟ ଓ କ୍ରାଇମ ଡିଏସପି ଉତ୍କଳ କେଶରୀ ଦାଶ ଘଟଣାସ୍ଥଳକୁ ଆସି ସରଜମିନ ତଦନ୍ତ କରିଥିଲେ । ସ୍ଥାନୀୟ ପୁଲିସ ଏହି ମାମଲାକୁ ଗୁରୁତର ସହ ନେଇ ଘଟଣାର ସବିଶେଷ ତଥ୍ୟ ହାସଲ ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଏଥିରେ ପାଖାପାଖି ୮ଜଣକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ମଧ୍ୟ କରିଥିଲା । ପରେ ବାସ୍ତବ ତଥ୍ୟ ସାମାନାକୁ ଆସିବାପରେ ପୁଲିସ ୫ଜଣଙ୍କୁ ଗିରଫ କରିବାସହ ସେମାନଙ୍କୁ ମଙ୍ଗଳବାର ସଂଧ୍ୟାରେ କୋର୍ଟଚାଲଣ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଥାନା କେଶ ନମ୍ବର- ୪୨୭/୨୦ର ଦଫା ୩୦୭, ୩୦୨ ଓ ୩୪ ଆଇପିସି ତଥା ୩, ୪ ଓ ୫ ଇଏସ ଆକ୍ଟ ପ୍ରକାରେ ମାମଲା ରୁଜୁ କରାଯାଇ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଲାଲସିଂ ପଲ୍ଲୀ ଗ୍ରାମର ତପନ ନାୟକ ସମେତ ଦଦରାଲୁଣ୍ଡା ଗ୍ରାମର କୈଳାଶ ନାୟକ, ଅଭି ନାୟକ, ଡ୍ରାଇଭର ନାୟକ ଓ ଶିବ ନାୟକଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ଗ୍ରାମରେ ୭ ତାରିଖ ରାତିରେ ସାମାନ୍ୟ କମେଣ୍ଟମରା ଘଟଣାକୁ ନେଇ ମହାଭାରତ ସୃଷ୍ଟି ହୋଇଥିଲା । ଗାଆଁରେ ଘନ ଘନ ବୋମାମାଡ ଯୋଗୁଁ କୃଷ୍ଣଚନ୍ଦ୍ର ଗୌଡ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ବୋମା ମାଡରେ କୃଷ୍ଣର ଗୋଟିଏ ଗୋଡର ଜଙ୍ଘରୁ ସଂପୂର୍ଣ୍ଣ ମାଂସ ଉଡିଯାଇଥିଲା । ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏଠାରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ରହ୍ମପୁର ଯିବା ରାସ୍ତାରେ କୃଷ୍ଣଚନ୍ଦ୍ର ଗୌଡଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ସବର୍ଣ୍ଣ – ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ପୁଲିସର ଉପଯୁକ୍ତ କାର୍ଯ୍ୟାନୁଷ୍ଟାନ ଓ ସମୟୋଚିତ ପଦକ୍ଷେପ ଯୋଗୁଁ ଏହି ଆଶଙ୍କା ଦୂର ହୋଇପାରିଥିବା ଜଣାପଡିଛି ।

Comments are closed.