ଦକ୍ଷିଣ ଆସାମରେ ଭୂସ୍କଳନ : ୨୦ ମୃତ, ଅନେକ ଆହତ

ଗୌହାଟି: ଜୁନ ୦୩: ଗତ କିଛି ଦିନ ହେଲା ଲଗାତର ବର୍ଷା ଯୋଗୁ ଦକ୍ଷିଣ ଆସାମରେ ଭୂସ୍କଳନ ଘଟିବା ଫଳରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ।ଅନେକ ଲୋକ ଏହି ଘଟଣାରେ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ଦକ୍ଷିଣ ଆସାମରେ ତିନିଟି ପୃଥକ ପୃଥକ ସ୍ଥାନରେ ଭୂସ୍କଳନ ଘଟିବା ଫଳରେ ତିନି ଶିଶୁଙ୍କ ସମେତ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରୁ କାଚର ଏବଂ ହିଲାକାନ୍ଦିରେ ୭ ଜଣ ଲେଖାଁଏ ରହିଥିବା ବେଳେ କରିମଗଞ୍ଜରୁ ୬ ଜଣ ଏହି ଘଟଣାରେ ପ୍ରାଣ ହରାଇଛନ୍ତି । ରିପୋର୍ଟ ଅନୁଯାୟୀ କାଚର ଜିଲ୍ଲାର ଜୟପୁରରେ ତାଜିମ ଉଦ୍ଦିନ ଲସ୍କର ଏବଂ ତାଙ୍କର ତିନି ଝିିଅ ଏବଂ ତିନି ପୁଅ ଏହି ଭୂସ୍କଳନ ଫଳରେ ଜୀବନ୍ତ ସମାଧି ନେଇଛନ୍ତ । ତେବେ ପୁଲିସ ଲସ୍କରଙ୍କ ପତ୍ନୀ ଏବଂ ଅନ୍ୟ ପୁଅକୁ ଗୁରୁତର ଅବସ୍ଥାରେ ଜୀବନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେହିପରି ହାଇଲାକାଣ୍ଡି ଜିଲ୍ଲାର ଆଲଗାପୁରରେ ହୋଇଥିବା ଦ୍ୱିତୀୟ ଘଟଣାରେ ଦୁଇଟି ପରିବାରର ଚାରିଜଣ ମହିଳାଙ୍କ ସମେତ ଜଣେ ଶିଶୁର ମୃତ୍ୟୁ ଘଟିଛି । କରିମଗଞ୍ଜ ଜିଲ୍ଲାର କାଲିଗଞ୍ଜ ଅଞ୍ଚଳରେ ହୋଇଥିବା ତୃତୀୟ ଘଟଣାରେ ତିନିଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି ।ଆସାମ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ଅନେକ ଟିମ୍‌, ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍‌ ମୃତଦେହ ସବୁକୁ ଉଦ୍ଧାର କରିବା ସହ ଆହତ ଲୋକମାନଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲା ।ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି ।ଏଥିସହ ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର କରିବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.