ଜୁନ ୩୦ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି; ୩ଟି ପର୍ଯ୍ୟାୟରେ କୋହଳ ହେବ ନିୟମ; ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ

ନୂଆଦିଲ୍ଲୀ : ମେ ୩୦:କେନ୍ଦ୍ର ସରକାର ଲକଡାଉନ ଅବଧି ଜୁନ ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।ଏହା ହେଉଛି ଲକଡାଉନର ୫ମ ପର୍ଯ୍ୟାୟ । ଚତୁର୍ଥ ପର୍ଯ୍ୟାୟ ଲକଡାଉନର ମିଆଦ ରବିବାର ପୂରିଯାଉଛି । ତେବେ କେନ୍ଦ୍ର ସରକାର ଲକଡାଉନର ପଞ୍ଚମ ପର୍ଯ୍ୟାୟରେ ଅନେକ କଟକଣାକୁ କୋହଳ କରିଛନ୍ତି ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସମସ୍ତ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ପୁନଃ ପ୍ରଚଳନ କରିବାକୁ ଅନୁମତି ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଜୁନ୍‌ ୧ଠାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ପୂର୍ବରୁ ନିଷେଧ କରାଯାଇଥିବା ସମସ୍ତ କାର୍ଯ୍ୟକଳାପଗୁଡିକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌ (ଏସଓପି)ର ସର୍ତ୍ତ ଅନୁଯାୟୀ ପର୍ଯ୍ୟାୟକ୍ରମେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଅଞ୍ଚଳରେ ଖୋଲାଯିବ । ପ୍ରଥେ ମ ସର୍ବସାଧାରଣ ସ୍ଥାନ, ହୋଟେଲ, ରେଷ୍ଟୁରାଣ୍ଟ, ଅନ୍ୟାନ୍ୟ ଆତିଥ୍ୟ ସେବା ଏବଂ ସପିଂ ମଲ୍‌, ଧାର୍ମିକ ସ୍ଥାନ ଏବଂ ପୂଜାପାଠ ସ୍ଥାନଗୁଡିକ ଜୁନ୍‌ ୮ରୁ ଖୋଲିବାକୁ ଅନୁମତି ଦିଆଯିବ । କେନ୍ଦ୍ରୀୟ ମନ୍ତ୍ରାଳୟ, ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରି ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ କୋଭିଡ -୧୯ର ପ୍ରସାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉପରୋକ୍ତ କାର୍ଯ୍ୟକଳାପ ପାଇଁ ଏସଓପି ଜାରି କରିବ । ଦ୍ୱିତୀୟ ପର୍ଯ୍ୟାୟରେ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ପରାମର୍ଶ ପରେ ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ, ତାଲିମ , କୋଚିଂ ଅନୁଷ୍ଠାନ ଇତ୍ୟାଦି ଖୋଲାଯିବ । ଅଭିଭାବକ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଅନୁଷ୍ଠାନିକ ସ୍ତରରେ ପରାମର୍ଶ ନେବାକୁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ଜୁଲାଇ ମାସରେ ଏହି ଅନୁଷ୍ଠାନଗୁଡ଼ିକର ପୁନଃ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଅନୁଷ୍ଠାନଗୁଡିକ ପାଇଁ ଏସଓପି ପ୍ରସ୍ତୁତ କରିବ । ତୃତୀୟ ପର୍ଯ୍ୟାୟରେ ପରିସ୍ଥିତିର ମୂଲ୍ୟାଙ୍କନକୁ ଆଧାର କରି ଉପରୋକ୍ତ କାର୍ଯ୍ୟକଳାପ ଖୋଲିବାର ତାରିଖ ସ୍ଥିର ହେବ । ତଥାପି କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଠୋର ଭାବେ ଲାଗୁ ହେବ । କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ କଠୋର ପରିସୀମା ନିୟନ୍ତ୍ରଣ ବଜାୟ ରହିବ ଏବଂ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ।

Comments are closed.