ଜୁନ ପାର ହେଲେ ଟଳିବ ବିପଦ

0

ଭୁବନେଶ୍ୱର : ଜୁନ ୬: ରାଜ୍ୟରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିପାରେ । ଏହି ମାସରେ ହିଁ ସର୍ବାଧିକ ସଂକ୍ରମଣର ଆଶଙ୍କା ରହିଛି । ସଙ୍ଗରୋଧ, ମାର୍ଗଦର୍ଶିକା ଅନୁପାଳନ, ଆତ୍ମସଂଯମ ହିଁ ଏହି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଏକମାତ୍ର ବିକଳ୍ପ । ଏଇ ଘାଟି ପାରିହେଲେ ବିପଦ ଟଳିବ ।
ଶନିବାର କୋଭିଡ୍‌ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଉପସ୍ଥିତିରେ ଶ୍ରୀ ବାଗଚୀ କହିଥିଲେ, ଓଡ଼ିଶାରେ ଉଦବେଗଜନକ ସ୍ଥିତି ହେବାରେ ଲାଗିଛି କରୋନା । ଜୁନ୍‌ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ରାଜ୍ୟବାସୀ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ଏଇ ଘାଟି ପାରିହେଲେ ବିପଦ ଟଳଯିବ ବୋଲି ସେ ପ୍ରକାଶ କରିଥିଲେ ।
ସ୍ଥାନୀୟ ସଂକ୍ରମଣକୁ ଚିନ୍ତା ବଢ଼ିଛି ବୋଲି ମତ ରଖି ଶ୍ରୀ ବାଗଚୀ କହିଥିଲେ, ବର୍ତ୍ତମାନ ସୁଦ୍ଧା କ ୍ୱାରେଣ୍ଟିନ୍‌ ସେଣ୍ଟର ବାହାରେ ମୋଟ ୮୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି । କେବଳ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବି ବଢିବାରେ ଲାଗିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି ରାଜ୍ୟର ସବୁଠୁ ବଡ଼ ବସ୍ତି ସାଲିଆସାହିରେ । ମୁମ୍ବାଇର ଧରାବୀ ସ୍ଥିତି ଏଠି ଉପୁଜିପାରେ । ତେଣୁ ଅଧିକ ସତର୍କତା ଜରୁରି । ସେଇ କାରଣରୁ ସାପ୍ତାହିକ ସଟ୍‌ ଡାଉନ୍‌ ସମୟରେ ଓମ୍‌ଫେଡ୍‌ ଦ୍ୱାରା ବିଭିନ୍ନ ରିଟେଲରମାନଙ୍କ ଜରିଆରେ ଭୁବନେଶ୍ୱର ସହର ସମେତ କଟକ, ପୁରୀ, ଜଟଣୀ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଯାଜପୁର ରୋଡ, ଯାଜପୁର ଟାଉନ୍‌ ଓ ବ୍ରହ୍ମପୁର ସହରରେ ଖାଉଟିଙ୍କୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇଦେବା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ ।
ଶ୍ରୀ ବାଗଚୀ କହିଥିଲେ, କେଇ ଦିନରେ ଇଟାଲିକୁ ଟପି ସଂକ୍ରମଣରେ ଷଷ୍ଠସ୍ଥାନ ମାଡ଼ି ବସିଲାଣି ଭାରତ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ଡେଇଁ ଯାଇଥିଲା ବେଳେ ସେଭିତରୁ ପ୍ରାଣ ହରାଇଲେଣି ୬ ହଜାର ୬୪୦ରୁ ଅଧିକ । ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି ସ୍ଥିତି । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୭୩ ପଜିଟିଭ୍‌ ଚିହ୍ନଟ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୦ ଟପିଛି । ଏଭଳି ସ୍ଥିତିରେ ରାଜ୍ୟ ସରକର ଜୀବନ ଓ ଜୀବିକା ଉପରେ ସମାନ ଗୁରୁତ୍ୱ ଦେଇଛନ୍ତି । ତେଣୁ ଓଡ଼ିଶାର ଜନସାଧାରଣ ସରକାର କରିଥିବା ମାର୍ଗଦର୍ଶିକାକୁ ମାନି କାର୍ଯ୍ୟ କରନ୍ତୁ ବୋଲି ବାଗଚୀ ଅନୁରୋଧ କରିଥିଲେ ।

Leave A Reply

Your email address will not be published.