ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି; ୨୬ରୁ ମାଟ୍ରିକ୍‌ ମୂଲ୍ୟାୟନ

Edited by Papu Mohanty

ଭୁବନେଶ୍ୱର(ସବୁ୍ୟ): କରୋନା କଟକଣା ସାଙ୍ଗକୁ ମହାବାତ୍ୟା ଅମ୍ଫାନ ଯୋଗୁ ଦଶମ ଶ୍ରେଣୀ ଖାତାଦେଖା ଘୁଞ୍ଚିଥିଲା । ହେଲେ ବାତ୍ୟା ଓଡ଼ିଶାରୁ ଯିବା ପରେ ଏବେ ପୁଣି ଖାତା ମୂଲ୍ୟାୟନ ଲାଗି ତାରିଖ ଘୋଷଣା କରାଯାଇଛି । ଆସନ୍ତା ୨୬ରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍‌-୧୯ ଗାଇଡଲାଇନ୍‌ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ୍‌ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । କୋଭିଡ୍‌-୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତା ଏବଂ ସଚେତନତାକୁ ବଜାୟ ରଖି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖାକୁ ଗୁରୁତ୍ୱ ଦିଆଯାଇଛି ।
ସେପଟେ ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲଫ । କଟକ ବୋର୍ଡ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ପାଇଁ ଖାତାଦେଖାରେ ବିଳମ୍ବ ହୋଇଛି । ଗତ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । କି;ୁ ବାତ୍ୟା ପାଇଁ ପୁଣି ଖାତା ଦେଖାକୁ ସ୍ଥଗିତ ରଖାଯାଇଛି । ତେବେ ଖୁବ ଶୀଘ୍ର ଖାତାଦେଖା ସରିବା ସହ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.