ଜାରୀ ରହିଛି ବର୍ଷା; ଦୂର ହେଲା ମରୁଡ଼ି ଆଶଙ୍କା, ଚାଷୀ ଆଶ୍ୱସ୍ତ

Reprt: Tapan Nayak

ଖୋର୍ଦ୍ଧା: ଅଗଷ୍ଟ ୨୭: (ସ.ବ୍ୟୁ): ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଥିବାବେଳେ ଆରମ୍ଭ ରୁ ବର୍ଷା ହୋଇ ପରେ ମୌସୁମୀ ଗାଏବ ହୋଇଯାଇଥିଲା । ଆଷାଢ଼ ଓ ଶ୍ରାବଣ ମାସ ରେ ବର୍ଷା ଉଭାନ୍ ହୋଇଯାଇଥିଲା । ଫଳରେ ଚାଷ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଗତ ଶ୍ରାବଣ ମାସରେ ଟାଣଖରା ଯୋଗୁ ଚାଷୀଭାଇ ର ଚାଷ ବିଲ ଫାଟି ଆଁ କରିଥିବାବେଳେ ତଳି କିଆରିରେ ମଧ୍ୟ ଏକା ଅବସ୍ଥା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲା ଚାଷୀ । ତେବେ ୨୦୦୯ ଓ ୨୦୧୪ ରେ ହୋଇଥିବା ମରୁଡ଼ି ଚଳିତବର୍ଷ ହେବା ନେଇ ଚାଷୀ ଆଶଙ୍କାରେ ଥିବାବେଳେ ଭାଦ୍ରବ ରେ ଦୁଇ ଦୁଇଟି ଲଘୁଚାପ ବର୍ଷା ଚାଷୀକୁ ଆଶ୍ୱସ୍ତ କରିଛି । ତେବେ ମଙ୍ଗଳବାର ସନ୍ଧ୍ୟାରୁ ଜାରୀ ରହିଥିବା ଲଘୁଚାପ ବର୍ଷା ଯୋଗୁ ଚାଷୀ ମନରେ ଆନନ୍ଦ ଖେଳି ଯାଇଛି । ବର୍ଷା ଅଭାବରୁ ପଡ଼ିଆ ହୋଇ ପଡ଼ିଥିବା ଜମିକୁ ଚାଷୀ ହଳ କରି ରୂଆପୋତା ପାଇଁ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି ।
ସୂଚନାଯୋଗ୍ୟ, ଚାଷୀ ଉପରେ ପ୍ରକୃତି ଦାଉ ସାଦୁଛି । ରୋଗପୋକ, ଲଗାଣବର୍ଷା, ବନ୍ୟା ଏବଂ ମରୁଡ଼ି ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଉଛି ।ଫାଇଲିନ୍‌, ହୁଡ଼ୁହୁଡୁ, ଫନି ଏବଂ ଅମ୍ପନ ପରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ହେବା ନେଇ ଚାଷୀ ଆଶଙ୍କା ରେ ଦିନ କାଟୁଥିଲା । ତେବେ ବର୍ଷକର ଖାଦ୍ୟରୁ ବଂଚାଇ ଯେଉଁ ବିହନ ଗଣ୍ଡିଏ ଚାଷୀ ରଖିଥିଲା ତାହାକୁ ବିଲରେ ତଳି ପକାଇଥିବାବେଳେ ଉକ୍ତ ତଳିକୁ ଏବେ ବର୍ଷା ହେବାରୁ ରୋଇବାରେ ଲାଗି ପଡ଼ିଛି ।
ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ୧ଲକ୍ଷ ୨୪ହଜାର ୭୬୮ ଚାଷୀ ପରିବାର ଜୀବନ ଜୀବିକା ହେଉଛି ଚାଷବାସ । ଜିଲ୍ଲାର ୧ଲକ୍ଷ ୨୦ ହଜାର ୧୫୦ହେକ୍ଟର ଚାଷ ଜମିରୁ ଚଳିତ ଖରିଫ ଋତୁରେ ୧ଲକ୍ଷ ୬ହଜାର ୫୦ହେକ୍ଟର ଜମିରେ ଧାନ ଫସଲ କରିବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି । ସେଥିରେ ୧୭୪୭୫ ହେକ୍ଟର ଢିପ ଜମି ଓ ୪୩୩୩୮ ହେକ୍ଟର ସମତୁଲ ଜମି ରହିଛି । ତେବେ ଖୋର୍ଦ୍ଧା ବ୍ଲକ୍‌ରେ ୧୩ହଜାର ୭୩ ହେକ୍ଟର, ବେଗୁନିଆ ବ୍ଲକ୍ ରେ ୧୪ହଜାର ୯୨ହେକ୍ଟର, ବୋଲଗଡ଼ରେ ୧୪ହଜାର ୪୭୭ହେକ୍ଟର, ଟାଙ୍ଗି ବ୍ଲକ୍‌ରେ ୯ହଜାର ୮୨୯ହେକ୍ଟର, ଚିଲିକା ବ୍ଲକ୍ ରେ ୯ହଜାର ୮୧୫ ହେକ୍ଟର,ବାଣପୁର ବ୍ଲକ୍ ରେ ୧୦ହଜାର ୫୯୨ ହେକ୍ଟର, ଭୁବନେଶ୍ୱର ବ୍ଲକ୍ ରେ ୮ହଜାର ୫୧୦ହେକ୍ଟର, ଜଟଣୀ ବ୍ଲକ୍ ରେ ୬ହଜାର ୮୬୦ହେକ୍ଟର ବାଲିଅନ୍ତା ବ୍ଲକ୍ ରେ ୯ହଜାର ୯୦ହେକ୍ଟର ଓ ବାଲିପାଟଣା ବ୍ଲକ୍ ରେ ୯ହଜାର ୮୧୨ହେକ୍ଟର ଜମିରେ ଧାନ ଚାଷ କରିବା ନେଇ ବିଭାଗ ଲକ୍ଷ୍ୟ ରଖିଛି । ତେବେ ୫୬ ହଜାର ୭୨୧ହେକ୍ଟର ଜମିକୁ ଜଳସେଚନ ର ସୁବିଧା ରହିଥିବାବେଳେ ଅନ୍ୟ ଜମି ଗୁଡ଼ିକର ଚାଷୀ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି ।
ଜିଲ୍ଲାର ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ବ୍ଲକ୍‌କୁ ଛାଡ଼ିଦେଲେ ଅନ୍ୟବ୍ଳକ୍ ମାନଙ୍କରେ ଜଳସେଚନର ସେମିତ ସୁବିଧା ନଥିବା ଜଣାଯାଇଛି । ବାଲିପାଟଣା ବ୍ଲକରେ ସର୍ବାଧିକ ୯ହଜାର ୬୪୮ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ଖୋର୍ଦ୍ଧା ବ୍ଲକ୍ ରେ ସର୍ବନିମ୍ନ ୨ହଜାର ୬୪୦ହେକ୍ଟର ଜମି ଜଳସେଚିତ ରହିଛି । ଚିଲିକା ବ୍ଲକରେ ୨ହଜାର ୬୫୭ହେକ୍ଟର ଜମି ଜଳସେଚିତ ହୋଇଥିବାବେଳେ ବେଗୁନିଆ ବ୍ଲକ୍ ରେ ୩ହଜାର ୧୨୬ହେକ୍ଟର, ବୋଲଗଡ଼ରେ ୩ହଜାର ୮୮୪ହେକ୍ଟର, ଟାଙ୍ଗି ବ୍ଲକ୍ ରେ ୪ହଜାର ୯୫୮ହେକ୍ଟର, ବାଣପୁର ବ୍ଲକ୍ ରେ ୭ହଜାର ୯୯୮ ହେକ୍ଟର, ଭୁବନେଶ୍ୱର ବ୍ଲକ୍ ରେ ୯ହଜାର ୫୪୪ହେକ୍ଟର, ଜଟଣୀ ବ୍ଲକ୍ ରେ ୩ହଜାର ୦୧୦ହେକ୍ଟର ଓ ବାଲିଅନ୍ତା ବ୍ଲକ୍‌ରେ ୯ହଜାର ୦୬୭ହେକ୍ଟର ଜମି ଜଳସେଚିତ ହୋଇଥିବା ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥ୍ୟ କହୁଛି । ତେବେ ଜିଲ୍ଲାରେ ଥିବା ୪ଟି ବୃହତ୍ କେନାଲ, ଗୋଟିଏ ମଧ୍ୟମ, ୧୬୨ଟି କ୍ଷୁଦ୍ର କେନୋଲ, ୩୪୫ଟି ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ ଓ ପ୍ରାୟ ୩୩୧୭ଟି ଘରୋଇଭାବେ ପରିଚାଳିତ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୪୦ ପ୍ରତିଶତ ଜମିକୁ ଜଳସେଚନ କରାଯାଉଛି । ତେବେ ଜିଲ୍ଲାର ଅବଶିଷ୍ଟ ୬୩୪୨୯ ହେକ୍ଟର ଜମିର ଚାଷୀ ଜଳସେଚନରୁ ବଂଚିତ ଥିବାବେଳେ ସେମାନଙ୍କ ନିମନ୍ତେ ଚାଷପାଇଁ ବର୍ଷା ଜଳ ହିଁ ଏକମାତ୍ର ଭରସା । ତେବେ ଜଳସେଚନ ଅଭାବରୁ ଚାଷୀ ଖରିଫ ଧାନ କରିବାକୁ ଆଗ୍ରହ ପ୍ରକାଶ କରିନଥିବାବେଳେ ଏକର ଏକର ଚାଷଜମି ପଡ଼ିଆ ପଡ଼ିଥିବା ମଧ୍ୟ ଦେଖାଯାଇଛି ।
ତେବେ ୨୪ଘଂଟା ମଧ୍ୟରେ ଜିଲାରେ ୬୦୬.୨ମିମି ବର୍ଷା ରେକେର୍ଡ କରାଯାଇଛି । ତନ୍ମଧ୍ୟରେ ଜଟଣୀ ବ୍ଲକ୍‌ରେ ସର୍ବାଧିକ ୯୦ମିମି ଏବଂ ବାଣପୁରରେ ସର୍ବନିମ୍ନ ୧୯ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି । ସେହିଭଳି ବାଲିପାଟଣାରେ ୮୬.୪ମିମି, ଭୁବନେଶ୍ୱର ୮୪.୬ମିମି, ବେଗୁନିଆ ୫୮ମିମି, ବୋଲଗଡ ୬୮ମିମି, ଚିଲିକା ୨୫ମିମି, ଖୋର୍ଦ୍ଧା ୮୦ମିମି, ଟାଙ୍ଗୀ ୩୨.୨ମିମି କୁ ମିଶାଇ ମୋଟ ଜିଲାରେ ୬୦୬.୨ମିମି ବର୍ଷା ହୋଇଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ୨୦ ତାରିଖ ସକାଳ ୮ଟା ସୁଦ୍ଧା ମୋଟ ୨୭୮ମିମି. ବର୍ଷା ରେକର୍ଡ଼ ହୋଇଛି । ତନ୍ମଧ୍ୟରୁ ସର୍ବନିମ୍ନ ୦୫ମିମି ବର୍ଷା ବୋଲଗଡ ବ୍ଲକ୍ ରେ ହୋଇଥିବାବେଳେ ସର୍ବାଧିକ ବର୍ଷା ୪୨ମିମି ବର୍ଷା ବାଲିଅନ୍ତା ବ୍ଲକ୍ ରେ ହୋଇଛି । ସେହିପରି ବାଲିପାଟଣା ବ୍ଲକ୍ ରେ ୩୬.୪ ମିମି, ଭୁବନେଶ୍ୱର ବ୍ଲକ୍ ରେ ୫୪.୨ମିମି, ଜଟଣୀ ବ୍ଲକ୍‌ରେ ୨୮ମିମି, ବାଣପୁର ରେ ୧୩ମିମି, ବେଗୁନିଆରେ ୩୭ମିମି, ଚିଲିକାରେ ୧୦ମିମି, ଖୋର୍ଦ୍ଧା ୪୦ମିମି ଓ ଟାଙ୍ଗିରେ ୧୨.୪ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ୧୯ ତାରିଖ ସକାଳ ୮ଟା ସୁଦ୍ଧା ମୋଟ ୨୨୫.୪ମିମି. ବର୍ଷା ରେକର୍ଡ଼ ହୋଇଛି । ତନ୍ମଧ୍ୟରୁ ସର୍ବନିମ୍ନ ୦୩ମିମି ବର୍ଷା ବୋଲଗଡ ବ୍ଲକ୍ ରେ ହୋଇଥିବାବେଳେ ସର୍ବାଧିକ ବର୍ଷା ୬୭ମିମି ବର୍ଷା ବାଲିଅନ୍ତା ବ୍ଲକ୍ ରେ ହୋଇଛି । ସେହିପରି ବାଲିପାଟଣା ବ୍ଲକ୍ ରେ ୨୫.୬ ମିମି, ଭୁବନେଶ୍ୱର ବ୍ଲକ୍ ରେ ୪୧.୮ମିମି, ଜଟଣୀ ବ୍ଲକ୍‌ରେ ୨୫ମିମି, ବାଣପୁର ରେ ୦୫ମିମି, ବେଗୁନିଆରେ ୧୫ମିମି, ଚିଲିକାରେ ୦୪ମିମି, ଖୋର୍ଦ୍ଧା ୩୫ମିମି ଓ ଟାଙ୍ଗିରେ ୦୪ମିମି ବର୍ଷା ରେକର୍ଡ଼ ହୋଇଛି । ଏଥିସହିତ ଗତ ୫ ତାରିଖରେ ସମୁଦାୟ ୫୨୫.୮ ମିମି ଏବଂ ୬ତାରିଖରେ ୧୨୧.୨ମିମି. ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

Comments are closed.