ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକାକୁ ଦେଶ ଦେଲା ମଞ୍ଜୁରୀ

ଦିଲ୍ଲୀ: ଅଗଷ୍ଟ ୭: ଦେଶର ଟିକାକରଣ ଅଭିଯାନରେ ଏକ ବଡ଼ ଖବର ଆସିଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ ଟିକାକୁ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ୫ରେ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକା ପାଇଁ ଆବେଦନ କରିଥିଲା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟୁଇଟ୍‌ କରିଛନ୍ତି । ଏହାର ଗୋଟିଏ ଡୋଜ ଏତେ ପ୍ରଭାବଶାଳୀ ଯେ, ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ ନାହିଁ । ଫଳରେ ସ୍ୱଳ୍ପ ସମୟ ମଧ୍ୟରେ ଏକ ବୃହତ ଜନସଂଖ୍ୟା ଟିକାକରଣ ସମ୍ଭବ ହୋଇପାରିବ । ଏହି ଟିକା ୮୫ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି ।
ଏବେ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ପାଞ୍ଚଟି କରୋନା ଟିକା ଅନୁମତି ପାଇଛି । ସେହିଗୁଡ଼ିକ ହେଲା- କୋଭିସିଲ୍‌ଡ, କୋଭାକ୍‌ସିନ, ସ୍ପୁଟନିକ୍‌-ଭି, ମୋଡର୍ନା ଏବଂ ଏବେ ମଞ୍ଜୁରୀ ପାଇଥିବା ଜନସନ ଆଣ୍ଡ ଜନସନ ଟିକା ।
ତେବେ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକା ଏକରୁ ଦୁଇ ସପ୍ତାହ ମଧ୍ୟରେ ଦେଶରେ ଉପଲବ୍ଧ ହୋଇପାରେ ।

Comments are closed.