ଛୁଟିରେ ମିଳିବ ଗଛକୁ ଯତ୍ନ

0

ଦିଲ୍ଲୀ: ଅଗଷ୍ଟ ୨୬: ଘରେ ଗଛ ଲଗାଇବାକୁ ସମସ୍ତେ ଚାହାଁନ୍ତି । ଗଛ ଘରକୁ ସୁନ୍ଦର କରିବା ସହିତ ପରିବେଶକୁ ମଧ୍ୟ ଶାନ୍ତ କରିଥାଏ । ତେବେ ଗଛ ଲଗାଇ ଏହାର ରକ୍ଷାଣବେକ୍ଷଣ କରିବା ଏକ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ । ଘରେ ଥିବା ସମୟରେ ଗଛର ରକ୍ଷଣାବେକ୍ଷଣ ନେଇ କୌଣସି ଅସୁବିଧା ହୋଇନଥାଏ । କିନ୍ତୁ ଘରେ ନଥିବା ସମୟରେ ଏ ନେଇ ଚିନ୍ତା ଆରମ୍ଭ ହୋଇଥାଏ । ଯଦି ଆପଣ ଛୁଟିରେ କେଉଁଆଡେ ଯାଉଛନ୍ତି, ତେବେ ଗଛରେ କିଭଳି ପାଣି ଦିଆଯିବ ଏହା ଏକ ବଡ ସମସ୍ୟା । ତେବେ ଏହାର ସମାଧାନ କାଢିଛନ୍ତି ଗୁଜୁରାଟର ଆସୋସିଏଟ୍‌ ପ୍ରଫେସର୍‌ ପାର୍ଥ ସାହ । ସେ ଏକ ସେନ୍ସର ପ୍ରସ୍ତୁତ କରିଛନ୍ତି, ଯାହା ମାଟିର ଆଦ୍ରତା ଓ ତାପମାତ୍ରାର ଯାଞ୍ଚ କରି ପାଣି ଯୋଗାଇବ । ଏହି ଉପକରଣଟି ଘରୋଇ ଲୋକଙ୍କ ସହିତ କୃଷକଙ୍କୁ ମଧ୍ୟ ଅଧିକାଂଶରେ ସାହାଯ୍ୟ କରିବ ବୋଲି ପାର୍ଥ ମତ ଦେଇଛନ୍ତି । ସେ ଆଗକୁ ଏହି ଉପକରଣକୁ ଏକ ସିଷ୍ଟମରେ ପରିଣତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି, ଯାହା ଗାଁରେ କୃଷକଙ୍କୁ ସାହାଯ୍ୟ କରିପାରିବ । ସେ ଏହି ଉପକରଣରେ ଏକ ସେନ୍ସର ଲଗାଇଛନ୍ତି ଯାହା ମାଟିର ଉପଯୋଗିତାକୁ ପରଖିବ । ଏହି ସେନ୍ସରଟି ଏକ କମ୍ପୁ୍ୟଟର କିମ୍ବା ମୋବାଇଲ୍‌ ଦ୍ୱାରା ପରିଚାଳିତ ହୋଇଥାଏ । ସେ ଗଛ ଲଗାଯାଇଥିବା ମାଟିର ଆଦ୍ରତା ଓ ତାପମାତ୍ରା ମାପିବା ପରେ ଏନେଇ ସୂଚନା ଦେଇଥାଏ, ଯାହା ଆପଣ ମୋବାଇଲ୍‌ କିମ୍ବା ଏଲ୍‌ସିଡି ସ୍କ୍ରିନ୍‌ରେ ଦେଖିପାରିବେ । ସେ ଏକ ଆଣ୍ଡ୍ରୋଏଡ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି ଯାହା ଦ୍ୱାରା ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ସମସ୍ତ ସୂଚନାକୁ ପଢିପାରିବେ । ସେହିଭଳି ମାଟିର ଆଦ୍ରତା ସ୍ତର ୧୦ରୁ ୪୫ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ । ଯଦି ଏହି ସ୍ତର କମେ ତେବେ ସ୍ମାର୍ଟଫୋନ୍‌ରେ ଏନେଇ ଏକ ଆର୍ଲଟ ମେସେଜ୍‌ ଯିବ । ଗଛ ସହିତ ସଂଯୋଗ ହୋଇଥିବା ଏକ ପାଣି ପମ୍ପ ଦ୍ୱାରା ଗଛକୁ ପାଣି ମିଳିବ । ଗୋଟିଏ ସେନ୍ସର ଦ୍ୱାରା ଗୋଟିଏ ବାଲକୋନିରେ ଲାଗିଥିବା ସମସ୍ତ ଗଛକୁ ମନିଟର କରିହେବ । ଏହା ମାଟିଭିତରରେ ପ୍ରାୟ ୩ମିଟର ପର୍ଯ୍ୟନ୍ତ ଆଦ୍ରତା ଓ ତାପମାତ୍ରା ମାପିପାରିବ । ତାଙ୍କୁ ଏହି ଉପକରଣଟି ନିର୍ମାଣ କରିବା ପାଇଁ ୨୦ ଦିନ ସମୟ ଲାଗିଥିଲା । ଆଗକୁ ସେ ଏହାକୁ ଆହୁରି ଉନ୍ନତମାନର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Leave A Reply

Your email address will not be published.