ଘାଣ୍ଟିବ ଅମ୍ଫାନ୍:‌ ଆଜିଠୁ ବର୍ଷା, ପ୍ରଭାବିତ ହେବ ଉପକୂଳ ଓଡ଼ିଶା

Edited by Papu Mohanty

ଭୁବନେଶ୍ୱର : May 17:ମାଡ଼ି ଆସୁଛି ଉଗ୍ର ଅମ୍ଫାନ୍‌ । ଏହା ଏବେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଏହା ୨୦ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିୟା ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୯୦ରୁ ୨୦୦ ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଅମ୍ଫାନ ଓଡ଼ିଶା ନିକଟରେ ଯାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଉପରେ ତୀବ୍ର ଘୂର୍ଣ୍ଣିଝଡ ରୂପ ନେଇ କ୍ରମଶଃ ଉତ୍ତର ଦୀଗକୁ ଗତି କରୁଛି । ଏହାର ଗତି ଘଣ୍ଟାପ୍ରତି ୫କିମି ରହିଛି । ତେବେ ଏହା ରିକର୍ଭ କରିବାପରେ ଗତିପଥ ବଦଳାଇବା ସହ ବେଗ ଅଧିକ ହେବ । ଓଡିଶାର ପାରଦୀପ ଠାରୁ ଦକ୍ଷିଣର ୯୬୦କିମି, ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ପଶ୍ଚିମବଙ୍ଗର ଦୀଘା ଠାରୁ ୧୧୧୦କିମି ଏବଂ ବାଂଲାଦେଶର ଦକ୍ଷିଣ-ଦକ୍ଷିଣ ପଶ୍ଚିମର ଖେପୁପରା ଠାରୁ ୧୨୩୦କିମି ଦୂରେ କେନ୍ଦ୍ରୀଭୂତ ହୋଇ ରହିଛି ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟସରକାର ପ୍ରସ୍ତୁତ ଥିବା ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ସମ୍ପ୍ରତି ଜିଲ୍ଲାମାନଙ୍କରେ ୨୦ଟି ଓଡ୍ରାଫ ଟିମ୍‌, ୧୭ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିବିପର୍ଯ୍ୟୟ ପରିଚାଳନା ପାଇଁ ୩୩୫ ୟୁନିଟ୍‌ ସେବା ପ୍ରଦାନ ଲାଗି ପ୍ରସ୍ତୁତ ଅଛନ୍ତି । ଛଅ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଚାରୋଟି ନିକଟବର୍ତ୍ତୀ ଜିଲ୍ଲାରେ ୧୦ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ୧୫ଟି ଓଡ୍ରାଫ୍‌ ଟିମ୍‌ ଆଗୁଆ ମୁତୟନ କରାଯାଇଛି । ଆସନ୍ତାକାଲି(ସୋମବାର) ସନ୍ଧ୍ୟାରୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫କିମି ରହିବ ଏବଂ ଏହା କ୍ରମଶଃ ବୃଦ୍ଧି ହୋଇ ୬୫କିମି ପର୍ଯ୍ୟନ୍ତ ହୋଇପାରେ । ୧୯ତାରିଖରେ ଉତ୍ତର ଉପକୂଳ ଓଡିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୭୫-୮୫ ରହିବ । ଏହା ପରବର୍ତ୍ତୀ ସମୟରେ ବୃଦ୍ଧିପାଇ ୧୧୦ରୁ ୧୨୦ କିମି ଓ ମଝିରେ ମଝିରେ ୧୩୫ କିମି ବେଗରେ ପବନ ବୋହିପାରେ । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ମସି୍ୟଜୀବୀଙ୍କୁ ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ୧୨ଟି ଜିଲ୍ଲା ଲାଗି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସେଗୁଡିକ ହେଉଛି ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ । ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ ଟାୱାର ଲାଇଟ, ଚେନ୍‌ ଏବଂ ଅନ୍ୟ ଜରୁରୀକାଳିନ ଉପକରଣକୁ ପ୍ରସ୍ତୁତ ରଖିବାପାଇଁ କୁହାଯାଇଛି । ମୋଟ ୪୮୬ଟି ଜେନେରେଟର ସେଟ୍‌, ୧୫୧୩ଟି ଉନ୍‌ଫ୍ଲାଟେବୁଲ ଟାୱାର ଲାଇଟ୍‌ ଏବଂ ୧୪୯୭ଟି ଚେନ୍‌ ଆଶ୍ରୟସ୍ଥଳୀରେ ପ୍ରସ୍ତୁତ ରଖାଯାଇଛି । ସମସ୍ତ ପ୍ରଭାବିତ ଅଞ୍ଚଳରେ ଚିକିସିାଳୟ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍‌ ନିୟୋଜିତ କରାଯାଇଛି । ରାଜ୍ୟ ମୁଖ୍ୟକାର୍ଯ୍ୟାଳୟ ଓ ଖୋର୍ଦ୍ଧା, ଯାଜପୁର ଏବଂ କଟକରେ ଭି-ସ୍ୟାଟ୍‌ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି । ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ଡିଜିଟାଲ ମୋବାଇଲ ରେଡିଓକୁ ପ୍ରସ୍ତୁତ ରଖାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

Comments are closed.