ଘନେଇଲା ଉତ୍କଳ କନିକା ମଲ ଜବରଦଖଲ ବିବାଦ; ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି ଓ ବାର୍‌ ଆସୋସିଏସନ

ଭୁବନେଶ୍ୱର : ଜୁଲାଇ ୦୨:ଘନେଇଲା ଉତ୍କଳକନିକା ଗାଲେରିଆ ମଲ ଜମି ଜବରଦଖଲ ବିବାଦ । ଏହି ମଲ ସ୍ୱାର୍ଥରେ ଦୁଇ ଥର ନକ୍ସା ବଦଳିବା ଖବର ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି । ଗୋଟିଏ ଘରୋଇ ବ୍ୟବସାୟ ସଂସ୍ଥା ବିଏମ୍‌ସି ଓ ରାଜ୍ୟ ସଂଗ୍ରହାଳୟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାର ପ୍ରମୁଖ ଭାଗ ଭଙ୍ଗା ହେବାକୁ ଥିବାରୁ ଏହାକୁ ହଜମ କରିପାରୁନାହାନ୍ତି ଭୁବନେଶ୍ୱର ସଚେତନ ନାଗରିକ । ସରକାରୀ ଜାଗା ହଡପ ବିରୋଧରେ ବିଜେପି ଭୁବନେଶ୍ୱର ଜିଲ୍ଲା ଏବଂ ଭୁବନେଶ୍ୱର ବାର ଆସୋସିଏସନ୍‌ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଉକ୍ତ ମଲ୍‌ ସମ୍ମୁଖରେ ଜୋରଦାର ପ୍ରତିବାଦ କରାଯାଇଥିଲା । ଏ ସଂକ୍ରାନ୍ତରେ ବିଏମ୍‌ସି କମିଶନରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ଲାଗି ଚାରି ଥାକିଆ ଡିଜାଇନ ପ୍ରସ୍ତୁତ ହୋଇଥିଲା । ରାଜ୍ୟ ସରକାର ଦେଢ ବର୍ଷ ତଳେ ଟେଣ୍ଡର କରିଥିଲେ । ପ୍ରାୟ ଏକ କୋଟି ଷାଠିଏ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଥିଲା । କାର୍ଯ୍ୟ ଆରମ୍ଭ ପାଇଁ ଜବରଦଖଲ ହଟାଇବାକୁ ଉଦ୍ୟମ କରାଯାଇଥିଲା । ସେହି ଅଞ୍ଚଳରେ କିଛି ଜବରଦଖଲ ଉଠାଦୋକାନୀଙ୍କ ସମେତ ଛୋଟଛୋଟ କନଷ୍ଟ୍ରକସନ୍‌କୁ ଭାଙ୍ଗି ଦେଲାପରେ ଉତ୍କଳ କନିକା ଗ୍ୟାଲେରିଆ ମଲର ବେଆଇନ୍‌ ଜବରଦଖଲ ପାଖରେ ଅଟକି ଯାଇଛନ୍ତି ରାଜ୍ୟ ସରକାର । ଉତ୍କଳ କନିକା ଗାଲେରିଆ ମଲର ଜବରଦଖଲକୁ ହଟାଇବା ପରିବର୍ତ୍ତେ ପ୍ରଶାସନ ହାତ ଟେକି ଦେଇଛି । ଦେଢ ବର୍ଷ ତଳେ ହୋଇଥିବା ଟେଣ୍ଡର ଓ ନିର୍ମାଣ କାର୍ଯ୍ୟାଦେଶକୁ ବାତିଲ କରାଯାଇଛି । ରାଜ୍ୟ ସରକାର ପୂର୍ବ ନକ୍ସା ଓ ଡିଜାଇନକୁ ବଦଳାଇ ଏବେ ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ରାସ୍ତା ନିର୍ମାଣ ଆଳରେ ସରକାରୀ ସଂସ୍ଥାଗୁଡ଼ିକୁ ନଭାଙ୍ଗି ଉକ୍ତ ମଲ ସାମ୍ନାରେ ଥିବା ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ଦାବି କରିଛି ବିଜେପି ।

Comments are closed.