ଗଣେଶଂ ରଣେଶଂ ଗୁଣେଶଂ ଭଜାମଃ

‘ଚାରୁନର୍ତ୍ତନମାର୍ତ୍ତିକର୍ତ୍ତନମ ରାନ୍ଧ୍ୟବିନାଶନମ୍‌, ପୂଣ୍ୟକୀର୍ତ୍ତନମୂର୍ତ୍ତିମୁତ୍ତମମଗ୍ରପୂଜ୍ୟ ସନାତନମ୍‌, ଘୋରରାକ୍ଷସରାଜମର୍ଦ୍ଦନମିଷ୍ଟବର୍ଦ୍ଧନମୀଶ୍ୱରମ୍‌, ଦୁଃଖଖଣ୍ଡନମିନ୍ଦୁମଣ୍ଡନମିନ୍ଦୁରାସନମାଶ୍ରୟେ ।

0

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ, ମଧ୍ୟାହ୍ନ କାଳ, ସୋମବାର ଓ ସ୍ୱାତୀ ନକ୍ଷତ୍ର ଯୋଗରେ ତୁଳା ରାଶିରେ, ମହାମହିମାମୟ କୁନ୍ଦଧବଳ, ତ୍ରିନୟନ ଶ୍ରୀଗଣେଶ ହରପାର୍ବତୀଙ୍କ ପୁତ୍ର, ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ଦେବତା ରୂପେ ପ୍ରକଟ ହୋଇଥିଲେ ।
ପୂର୍ବ କାଳରେ ସ୍ୱୟଂ ମହାଦେବ ଗଣେଶଙ୍କୁ ପୂଜା କରି ତ୍ରିପୁରାସୁରକୁ ବଧ କରିଥିଲେ । ଇନ୍ଦ୍ର ଏହି ପୂଜା ବଳରେ ବୃତ୍ତ୍ରାସୁରକୁ ବଧ କରି ପାରିଥିଲେ, ଅହଲ୍ୟା ନିଜର ସ୍ୱାମୀଙ୍କୁ ଫେରି ପାଇଥିଲେ, ଦମୟନ୍ତୀ ନଳଙ୍କୁ, ସୀତା ଶ୍ରୀରାମଚନ୍ଦ୍ରଙ୍କୁ ପାଇଥିଲେ, ହନୁମାନ ସୀତାମାତାଙ୍କ ଠାବ କରିପାରିଥିଲେ । ଏହି ପୂଜା ମାଧ୍ୟମରେ ଗଣେଶଙ୍କୁ ସନ୍ତୁଷ୍ଟ କରି ଗରୁଡ଼ ଅମୃତ ହରଣ କରିଥିଲେ, ଭଗୀରଥ ଗଙ୍ଗାଙ୍କୁ ପୃଥିବୀକୁ ଆଣି ପାରିଥିଲେ, ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ପାଇଥିଲେ ଏବଂ ଶାମ୍ବ କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ ବୋଲି ବର୍ଣ୍ଣନା ଅଛି । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଯୁଧିଷ୍ଠିର ଏହି ବିନାୟକ ବ୍ରତ କରି ରାଜ୍ୟ ପାଇଥିଲେ । ସ୍ୱତଃ ଋଷିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀକୃଷ୍ଣ ଏହି ‘ସିଦ୍ଧି ବିନାୟକ’ଙ୍କ ପୂଜାର ମାହାତ୍ମ୍ୟକୁ ଗୋଟି ଗୋଟି ବର୍ଣ୍ଣନା କରିଥିଲେ ।
ହିନ୍ଦୁମାନଙ୍କର ପରମ ଆରାଧ୍ୟ ଦେବତା ଶ୍ରୀଗଣେଶ ବିଘ୍ନବିନାଶକ । ସେ ଏକର ନୁହଁନ୍ତି ଅନେକଙ୍କର, ଗଣଙ୍କର, ସେ ଦେବ, ଦାନବ, ମାନବଙ୍କର । ତେଣୁ ସେ ଗଣପତି । ‘ଗ’ର ଅର୍ଥ ‘ଗଣ’, ‘ଗ’ର ଅର୍ଥ ମଧ୍ୟ ‘ଗତି’ । ‘ଣ’ର ଅର୍ଥ ଜ୍ଞାନ । ‘ଈ’ର ଅର୍ଥ ଶକ୍ତି ଓ ମୁକ୍ତି, ‘ଶ’ର ଅର୍ଥ ସୁଖ ଓ ଶାନ୍ତି । ଏହିପରି ଭାବରେ ଶ୍ରୀଗଣେଶ ହେଲେ ଜ୍ଞାନଦାତା, ଶକ୍ତିଦାତା, ସୁଖଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ, ଗଣଙ୍କର ପତି, ଅଗ୍ରପୂଜ୍ୟ । ଅନ୍ୟ ଏକ ଅର୍ଥରେ ଗଣ ଶବ୍ଦର ‘ଗ’ ଅର୍ଥ ହେଲା ‘ବୁଦ୍ଧି’ ଓ ‘ଣ’ ହେଲା ‘ବିଜ୍ଞାନ’ର ପ୍ରତୀକ । ଏଣୁ ଗଣପତି ହେଲେ ବୁଦ୍ଧି ଓ ବିଜ୍ଞାନର ପ୍ରଭୁ ।
ଏହି ଗଣେଶ ଚତୁର୍ଥୀ ଦିବସଟିକୁ ‘ଗଣଶକ୍ତିି ଜାଗୃତି ଦିବସ’, ‘କୃଷି ବିକାଶର ତିଥି’ ଭାବରେ ମଧ୍ୟ ପାଳନ କରାଯାଏ । ଶିବ ପରିବାର ଓ ଶ୍ରୀଗଣେଶ ଚରିତ୍ର ଜୀବନ ଜୀଇଁବାର ଏକ ଉତ୍କୃଷ୍ଟ କଳାର ପ୍ରତୀକ ଭଳି ଦଣ୍ଡାୟମାନ । ହର ପାର୍ବତୀଙ୍କ ପୁତ୍ର ଗଣେଶ, ପିତାମାତାଙ୍କ ଆଶୀର୍ବାଦରୁ ଅଗ୍ରପୂଜ୍ୟ । ତେଣୁ ପ୍ରତ୍ୟେକ ଜୀବ ଶିବ ବ୍ୟତିରେକ ‘ଶବ’ରେ ପରିଣତ ହୋଇଥାଏ । ଶିବ ଏ ଜୀବମାନଙ୍କର ସ୍ରଷ୍ଟା କିନ୍ତୁ ଶକ୍ତି ପ୍ରଦାନ କରିଥାନ୍ତି ମାତା ପାର୍ବତୀ । ଶିବ ପରିବାରରେ ଖାଦ୍ୟ ଖାଦକ ଭିତରେ କିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠିତ, ତାହା ବିଶ୍ୱ ପାଇଁ ଅନୁକରଣୀୟ । ଶିବଙ୍କ ବାହନ ବୃଷଭ, ଶକ୍ତିଙ୍କ ବାହନ ସିଂହ, ଶିବଙ୍କ ଗଳାର ଭୂଷଣ ସର୍ପ, କାର୍ତ୍ତିକେୟଙ୍କ ବାହନ ମୟୂର । ଗଣେଶଙ୍କ ବାହନ କ୍ଷୁଦ୍ର ମୂଷିକ । ଏ ସମସ୍ତେ ଖାଦ୍ୟ-ଖାଦକର କଥା ଭୁଲି ପିତାମାତା ତଥା ଶ୍ରୀଗଣେଶଙ୍କ ଏକ ସୁନ୍ଦର ଶୃଙ୍ଖଳିତ ପରିଚାଳନା ମାଧ୍ୟମରେ ପରସ୍ପର ପ୍ରତି ସମ୍ପୂର୍ଣ୍ଣ ଅହିଂସକ ହୋଇ ବନ୍ଧୁତାର ଡୋରିରେ ବାନ୍ଧି ହୋଇ ରହିଛନ୍ତି ।
ଅତି ବିଚିତ୍ର ଗଣେଶଙ୍କର ଏହି ଦିବ୍ୟ ବିଗ୍ରହ । ହସ୍ତୀର ମସ୍ତକ, ମନୁଷ୍ୟର ଶରୀର, ପୃଥୁଳ ଉଦର, ମୂଷିକ ବାହନ, ଏକଦନ୍ତ ଇତ୍ୟାଦି । ଏ ସମସ୍ତ ରୂପ ଅବୟବ ମଧ୍ୟରେ ଅନେକ ଗୁଢ଼, ଧାର୍ମିକ ତତ୍ତ୍ୱ ସଂଯୁକ୍ତ ହୋଇ ରହିଛି । ବିଘ୍ନ ବିନାଶକାରୀ ବିଘ୍ନରାଜ ଗଣେଶଙ୍କର ବଡ଼ ପେଟ ଉଦାରତା ଏବଂ ପୂର୍ଣ୍ଣ ସ୍ୱୀକୃତିର ପ୍ରତୀକ । ଏହା ଏହି ବାର୍ତ୍ତା ଦିଏ କି ସାଧନା ପଥର ପଥିକ ହେଲେ ଅନେକ ବାଧାବିଘ୍ନ, ନାନପ୍ରକାର ମନ୍ଦକଥା, ତିରସ୍କାର ଆମ ଉପରକୁ ନିକ୍ଷେପ କରାଯିବ, କଟୁ ସମାଲୋଚନା କରାଯିବ, ମାତ୍ର ସାଧକ ସବୁକୁ ଅତି ସହଜ ଭାବରେ ଗ୍ରହଣ କରି ନିଜ ପଥରେ ଅଗ୍ରସର ହେବା ଉଚିତ । ଗଣେଶଙ୍କର ବିଶାଳ ମସ୍ତକଟି ହେଲା ବିଶାଳ ବୁଦ୍ଧିର ପ୍ରତୀକ । ଗଣେଶଙ୍କର ବିରାଟ କୁଲାଭଳି କର୍ଣ୍ଣ ଦୁଇ ଏହି କଥା ସୂଚେଇ ଦିଏ କି ସବୁ କଥା ଶୁଣିବ କିନ୍ତୁ କୁଲାଭଳି ଭଲ କଥାଗୁଡ଼ିକୁ ସ୍ୱତନ୍ତ୍ର କରି ରଖି ଦେଇ ଅନାବଶ୍ୟକ ମୂଲ୍ୟହୀନ କଥାକୁ ତ୍ୟାଗ କରିବ । ଗଣେଶଙ୍କର ବିଶାଳ ବପୁ ହେଲେ ବି ଚକ୍ଷୁ ଦୁଇଟି କ୍ଷୁତ୍ର ଅର୍ଥାତ୍‌ ପ୍ରତିଟି ଜିନିଷକୁ ହାତୀ ପରି ନିରୀକ୍ଷଣ କରିବାର ଶକ୍ତି ଥିବା ଆବଶ୍ୟକ । କ୍ଷୁଦ୍ର ହେଲେବି ମୂଷିକ ହୋଇପାରିଛି ଶ୍ରୀଗଣେଙ୍କ ବାହନ । ଗଣେଶଙ୍କ ପାଟି ଶୁ„ ପଛପଟେ ଲୁଚିକରି ଥାଏ, ଏହାର ଅର୍ଥ ହେଲା ବହୁତ ଶୁଣିବ କିନ୍ତୁ ଖୁବ୍‌ କମ୍‌ କହିବ । ଗଣେଶଙ୍କ ଦୀର୍ଘ ଶୁ„ ପ୍ରଚଣ୍ଡ ଧୀ-ଶକ୍ତିର ପ୍ରତୀକ । ଅଭୟ ମୁଦ୍ରାରେ ଉଠିଥିବା ଶ୍ରୀଗଣେଶଙ୍କର ହାତ ଆଶ୍ୱାସନାର ପ୍ରତୀକ । ଅନ୍ୟ ହାତଟି ତଳକୁ ଥାଏ ଏବଂ ଏହାର ପାପୁଲି ବାହାରକୁ ଥାଏ । ଏହାର ଅର୍ଥ ଶ୍ରୀଗଣେଶଙ୍କୁ ଯିଏ ଆରାଧନା କରେ ସିଏ ନିରନ୍ତର ଶ୍ରୀଗଣେଶଙ୍କ ଠାରୁ ଶକ୍ତି ଲାଭ କରୁଥାଏ । ଗଣେଶଙ୍କର ଗୋଟିଏ ଦାନ୍ତ ଏକାଗ୍ରତାର ପ୍ରତୀକ । ତାଙ୍କ ହାତରେ ଥିବା ଅଙ୍କୁଶ ସଜାଗତାର ପ୍ରତୀକ ଏବଂ ପାଂଶ ନିୟନ୍ତ୍ରଣର ପ୍ରତୀକ ଅଟେ । ବିଘ୍ନରାଜ ବିଗ୍ରହକୁ ଅବଲୋକନ କଲେ ଦେଖିବା ଯେ ସେ ଗୋଟିଏ ପାଦ ଭୂମିରେ ସ୍ଥାପନ କରି ଅପରଟି ଉପରକୁ ଉଠାଇ ବିଶ୍ରାମ ମୁଦ୍ରାରେ ରଖିଛନ୍ତି । ଏହା ପଛରେ ଥିବା ତତ୍ତ୍ୱଟି ହେଲା ଆମ୍ଭମାନଙ୍କୁ ଏହି ପୃଥିବୀରେ ହିଁ ସ୍ଥିର ହୋଇ ରହିବାକୁ ପଡ଼ିବ, ଅର୍ଥାତ୍‌ ମାଟିକୁ କୌଣସି ପରିସ୍ଥିତିରେ ଭୁଲିବା ଅନୁଚିତ । ଆମେ ସଦାସର୍ବଦା ଚିନ୍ତା ଓ ଚେତନାରେ ଉଦ୍ଧ୍ୱର୍ମନସ୍କ ହୋଇ ରହିବା ଉଚିତ, ଠିକ୍‌ ଯେପରି ପଙ୍କରୁ ଉଦ୍ଭବ ‘ପଦ୍ମ’ ଶ୍ରୀଗଣେଶ ଓ ଶ୍ରୀଲକ୍ଷ୍ମୀନାରାୟଣଙ୍କ ହାତର ଶୋଭା ବର୍ଦ୍ଧନ କରିପାରୁଛି । ପଦ୍ମକୁ ପଙ୍କ କିମ୍ବା ପାଣି କେହି ବି ପ୍ରଭାବିତ କରିପାରେ ନାହିଁ । ପୁରାଣ ମତରେ ଗଣେଶଙ୍କର ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧି ଯଥାକ୍ରମେ ସୌଭାଗ୍ୟ ଓ ସଫଳତାର ପ୍ରତୀକ । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, ନଡ଼ିଆ, କଦଳୀ ଓ ଅନ୍ୟାନ୍ୟ ଫଳମୂଳ ନୈବେଦ୍ୟ ରୂପେ ବଢ଼ାଯାଏ । ଖାଦ୍ୟ ଶରୀରର, ମନର, ମସ୍ତିଷ୍କର ଅଭିବୃଦ୍ଧିରେ ସହାୟକ ହୋଇଥାଏ । ଏଗୁଡ଼ିକରେ ବିଶେଷ କରି ରାଶିଲଡ଼ୁରେ ମସ୍ତିଷ୍କର ସ୍ନାୟୁ ସବଳ ହୁଏ ଓ ଏହା ମେଧା ବର୍ଦ୍ଧକ । ସ୍ୱସ୍ତିକ ଚିହ୍ନ ହେଲା ଶୁଭ ଏବଂ ମଙ୍ଗଳକାରୀ । ନାଗ ତାଙ୍କର ଯଜ୍ଞୋପବୀତ । ଏହା ବହୁକାଳ ବଞ୍ଚି ରହୁଥିବାରୁ ଅମରତ୍ୱର ପ୍ରତୀକ । ପୁଣି ଗଣେଶଙ୍କର ବର୍ଣ୍ଣ ତୁଷାର ଧବଳ ହୋଇଥିବାର କାରଣ ହେଲା, ଏହା ଅଜ୍ଞାନରୂପକ ଅନ୍ଧକାର ନାଶ କରିଥାଏ ।
ଆମର ପ୍ରାଚୀନ ମୁନିଋଷିମାନେ ଖୁବ୍‌ ଚତୁର ଥିଲେ । ସେମାନେ ଦିବ୍ୟତାକୁ ଶବ୍ଦ ବଦଳରେ ପ୍ରତୀକ ଦ୍ୱାରା ଅଭିବ୍ୟକ୍ତ କରିଥିଲେ । କାରଣ ସମୟ ସହ ଶବ୍ଦ ବଦଳିଯାଇପାରେ, କିନ୍ତୁ ପ୍ରତୀକ ଗୁଡ଼ିକୁ ସମୟ ପ୍ରଭାବିତ କରିପାରେ ନାହିଁ ।
ଗଣପତି ସମସ୍ତ ଜୀବଗଣଙ୍କର ପତି, କିନ୍ତୁ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଗଣ ହେଉଛି ଶରୀର ଭିତରେ ଥିବା ସମସ୍ତ ଇନ୍ଦ୍ରିୟ, ଅର୍ଥାତ୍‌ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଓ ଚର୍ମ) ଏବଂ ପଞ୍ଚ କର୍ମେନ୍ଦ୍ରିୟ (ବାକ୍‌, ପାଣି, ପାଦ, ପାୟୁ, ଉପସ୍ଥ) ଏମାନଙ୍କର ଅଧିପତି ମନ ଏବଂ ମନକୁ ନିୟନ୍ତ୍ରଣ କରୁଥିବା ବୁଦ୍ଧି, ଏ ସମସ୍ତଙ୍କର ନିୟନ୍ତ୍ରଣକର୍ତ୍ତା ହେଲେ ଗଣପତି । ସେ ହେଉଛନ୍ତି ଶରୀର ଭିତରେ ବିଦ୍ୟମାନ ସେହି ଚୈତନ୍ୟ ସତ୍ତା ଯାହାର ଉପସ୍ଥିତିରେ ଏମାନେ କାର୍ଯ୍ୟ କରିପାରନ୍ତି । ତେଣୁ ଗଣେଶଙ୍କୁ ଆରାଧନା କରିବା ମାନେ ଅର୍ନ୍ତମୁଖୀ ହୋଇ ଏହି ଦିବ୍ୟସତ୍ତାକୁ ଅନୁଭବ କରିବା । ଯିଏ ସ୍ୱୟଂ ଭିତରେ ବିରାଜମାନ କରନ୍ତି, ତାଙ୍କୁ ବର୍ହିଜଗତର ମାଟି, କାଠ, ପଥର, ଉଦ୍ଭିଦ, ଭିତରେ ଖୋଜିଲେ ସେ କିପରି ବା ମିଳିବେ !!!
ଗଣେଶ କାହିଁକି ଏକଦନ୍ତ ଓ ବିନାୟକ ?
ଦନ୍ତ ଶବ୍ଦର ଆଉ ଗୋଟିଏ ଅର୍ଥ ଅଛି ଦମନକାରୀ, କାରଣ ଦମନାର୍ଥକ ଦମ୍‌ ଧାତୁରୁ ଦନ୍ତ ଶବ୍ଦ ସୃଷ୍ଟି ହୋଇଛି । ସେଥିପାଇଁ ଯାହାଙ୍କୁ ଦମନ କରିବା କଷ୍ଟସାଧ୍ୟ ତାଙ୍କୁ ଦୁର୍ଦ୍ଦାନ୍ତ କୁହାଯାଏ । ସେହି ଅର୍ଥରେ ଏକଦନ୍ତ ଶବ୍ଦର ଅର୍ଥ ହେଲା ଏକମାତ୍ର ଦମନକାରୀ । ଶତ୍ରୁମାନଙ୍କୁ ଦମନ କରିବାର କ୍ଷମତା ଯାହାର ନାହିଁ ସେ କିପରି ଗଣର ରକ୍ଷା କରିପାରିବ? ଗଣେଶଙ୍କର ଆଉ ଏକ ନାମ ହେଉଛି ବିନାୟକ । ବିଶେଷ ଭାବେ ନିୟନ୍ତ୍ରଣ ବା ବିନାୟନା କରିବାର କ୍ଷମତା ଯାହାର ଅଛି ସେ ବିନାୟକ । ପୁନଶ୍ଚ ବି-ପୂର୍ବକ ନୀ-ଧାତୁରୁ ବିନାୟକ ଶବ୍ଦ ସୃଷ୍ଟି ହୋଇଛି । ‘ନୀ’ ଅର୍ଥ ନେଇଯିବା । ଯେ ଅନୁଗତ, ଅନୁଗାମୀ ବା ଆଶ୍ରିତମାନଙ୍କୁ ବିଶେଷ ଭାବେ ସତ୍‌ ବା ଆଦର୍ଶ ବା ଇଷ୍ଟ ବା ଧର୍ମ ପଥରେ ନେଇଯାଆନ୍ତି ସେ ହିଁ ବିନାୟକ ।
ଅନ୍ୟ ଏକ କାହାଣୀରେ ବର୍ଣ୍ଣିତ ଅଛି, ମହାପୁରୁଷ ବ୍ୟାସଦେବ ମହାଭାରତର ବୟାନ କରନ୍ତି । ଗଣେଶ ତାଙ୍କ ରାଜି ଅନୁଯାୟୀ ଲେଖନୀରେ ଲେଖି ଚାଲିଛନ୍ତି ମହାଭାରତ । ଉଭୟଙ୍କ ଭିତରେ ସର୍ତ୍ତ ପରସ୍ପର ମାନି ନେଇଛନ୍ତି । ଲେଖା ମଝିରେ ଭାଙ୍ଗିଗଲା ଗଣେଶଙ୍କ ଲେଖନୀ । ଲେଖା ବନ୍ଦ ହେବ ନାହିଁ ବୋଲି ସର୍ତ୍ତ ଥିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ଗଣେଶ ତାଙ୍କର ଗୋଟେ ଦାନ୍ତ ଭାଙ୍ଗିଦେଇ ଲେଖି ଚାଲିଲେ ବ୍ୟାସଦେବଙ୍କଠୁ ମହାଭାରତ ଶୁଣି ଶୁଣି ।
ମୂଷିକ କାହିଁକି ଗଣେଶଙ୍କର ବାହନ ?
ମୂଷା ହେଉଛି ଗଣେଶଙ୍କ ବାହନ । ପୁରାଣରେ ଅଛି ଇନ୍ଦୁର ନାମକ ଅସୁରକୁ ଦମନ କରି ଗଣେଶ ତାଙ୍କୁ ନିଜର ବାହନ କରିଥିଲେ । ଇନ୍ଦୁର ଅର୍ଥ ମୂଷା । କିନ୍ତୁ ପ୍ରକୃତ ଅର୍ଥ ସେଇଆ ନୁହେଁ । ଜଣେ ଘୋଡ଼ା ପିଠିରେ ବସି ଯାତାୟତ କରିପାରେ । କିନ୍ତୁ କେହି କେବେ ମୂଷା ପିଠିରେ ବସି ଗମନାଗମନ କରିପାରିବ ନାହିଁ । ତେଣୁ ଏ ପ୍ରତୀକାତ୍ମକ ବର୍ଣ୍ଣନାର ଭିନ୍ନ ଅର୍ଥ ରହିଛି । ମୂଷାର କାମ ହେଉଛି ଜିନିଷପତ୍ର କଟାକଟି କରିବା, ଅନ୍ୟର କ୍ଷତି କରିବା । ମୂଷା ପାଖରେ ପଞ୍ଚବିକାର ଅର୍ଥାତ୍‌ କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର ଭରପୂର ହୋଇ ରହିଥାଏ । ଖଳ ପ୍ରକୃତିର ଲୋକଙ୍କ ପ୍ରତୀକ ରୂପେ ମୂଷାଙ୍କୁ ଗଣେଶଙ୍କ ବାହନ ରୂପେ କଳ୍ପନା କରାଯାଇଛି । ଗଣେଶ ସମାଜର ଖଳପ୍ରକୃତିର ଲୋକଙ୍କୁ ନିଜ ପାଖରେ ରଖି ତାଙ୍କ ଦୁଷ୍ଟ ସ୍ୱଭାବର ନିୟନ୍ତ୍ରଣ କରନ୍ତି, ଯେପରି ସେମାନେ ସମାଜରେ ଅନ୍ୟ କାହାର କ୍ଷତି କରିପାରିବେ ନାହିଁ । ତେଣୁ ସେ ମୂଷିକବାହନ । ଅନ୍ୟ ଏକ ଅର୍ଥରେ ଯେତେବଡ଼ ଖଳ, ପାପୀ ଅବା ଅପରାଧୀ ହୋଇଥିଲେ ମଧ୍ୟ ଗଣେଶଙ୍କ ଶରଣାପନ୍ନ ହେଲେ ତାର ଜୀବନଧାରା ବଦଳିଯାଏ ।
ପିତୃମାତୃଭକ୍ତ ଗଣେଶ :
ଗଣେଶ ଥିଲେ ଅତ୍ୟନ୍ତ ମାତୃଭକ୍ତ ଓ ପିତୃଭକ୍ତ । ଏ ବିଷୟରେ ଏକ କିମ୍ବଦନ୍ତୀ ଅଛି । ଥରେ ମା’ ପାର୍ବତୀଙ୍କର ଏକ ମୁକ୍ତାହାର ନେବାକୁ ଗଣେଶ ଓ ତାଙ୍କ ବଡ଼ଭାଇ କାର୍ତ୍ତିକ ଜିଦି କଲେ । ଗୋଟିଏ ହାରକୁ ମା’ କାହାକୁ ଦେବେ ? ତେଣୁ ସେ ଏକ ପ୍ରସ୍ତାବ ଦେଲେ – ଯିଏ ପୃଥିବୀ ପରିକ୍ରମଣ କରି ପ୍ରଥମେ ଆସି ତାଙ୍କ ପାଖରେ ପହଞ୍ଚିବ, ହାରଟି ତା’ର ହେବ । ଏହା ଶୁଣି କାର୍ତ୍ତିକ ତାଙ୍କ ମୟୂରବାହନରେ ପରିଭ୍ରମଣରେ ବାହାରିଗଲେ । ଗଣେଶ କିନ୍ତୁ ମାଆବାପାଙ୍କ ଚାରିପଟେ ତିନିଘେରା ବୁଲିଆସି ହାତଯୋଡ଼ି ବସିପଡ଼ିଲେ । ମା’ ପଚାରିଲେ ତୁ’ କଣ ପରିଭ୍ରମଣରେ ଯିବୁନି କି ? ଗଣେଶ କହିଲେ ମାତାପିତା ମୋ ପାଇଁ ବିଶ୍ୱବ୍ରହ୍ମାଣ୍ଡଠାରୁ ବଡ଼ । କୁହାଯାଏ, ମା’ ପୃଥିବୀଠାରୁ ବଡ଼ ଓ ପିତା ସ୍ୱର୍ଗଠାରୁ ବଡ଼ । ତେଣୁ ମୋର ପୃଥିବୀ ଭ୍ରମଣରେ ଯିବା କି ଦରକାର ? ମୁଁ ତ ଆପଣଙ୍କ ଚାରିପଟେ ତିନିଘେରା ବୁଲିସାରିଲିଣି । ହାରଟି ଶେଷକୁ ଗଣେଶଙ୍କର ହିଁ ହେଲା । ଗଣେଶ କେବଳ ମାତୃପିତୃଭକ୍ତ ନଥିଲେ । ବୁଦ୍ଧିରେ ବି ଥିଲେ ସବୁଠୁ ଶୀର୍ଷରେ । ଦେବତାଙ୍କ ସେନାପତି କାର୍ତ୍ତିକ ଏ ଯୁକ୍ତି ଶୁଣି ହାର ମାନିଲେ ।
କାହିଁକି ଗଣେଶ ଚତୁର୍ଥୀରେ ଚନ୍ଦ୍ରଦର୍ଶନ ନିଷେଧ !!
ଥରେ ଗଣେଶଙ୍କ ଜନ୍ମଦିନରେ ମା’ ପାର୍ବତୀ ୨୧ ପ୍ରକାର ବ୍ୟନ ଓ ପ୍ରଚୁର ମିଠା ଖିରି ଗଣେଶଙ୍କୁ ଖୁଆଇଲେ । ଲୋଭାତୁର ପୁତ୍ର ଗଣେଶ ଯଥେଷ୍ଟ ଖାଇ ବାହନ କ୍ଷୁଦ୍ର ମୂଷା ଉପରେ ବସି ବୁଲିବାକୁ ଗଲେ । ବୁଲିବା ସମୟରେ ମୂଷା ଗୋଟିଏ ସାପକୁ ଦେଖି ଛାନିଆରେ ଝୁଣ୍ଟିପଡ଼ିବା ଫଳରେ ଗଣେଶ ମଧ୍ୟ ବଡ଼ ଶବ୍ଦ କରି ଦୁଲ୍‌କିନା ତଳେ ପଡ଼ିଗଲେ । ଗଣେଶ ସେ ସାପଟିକୁ ଧରି ଆଣି ଅଣ୍ଟାରେ କମରପଟି ରୂପେ ବାନ୍ଧିଲେ ଆକାଶରେ ଚନ୍ଦ୍ର ଏହା ଦେଖି ଥଟ୍ଟା କରି ହସିଲେ । ଅପମାନିତ ଗଣେଶ ତାଙ୍କ ଦାନ୍ତରୁ ଗୋଟିଏ ଚନ୍ଦ୍ରଙ୍କୁ ଆଘାତ କରିବାକୁ ଫୋପାଡ଼ିଲେ । ଚନ୍ଦ୍ର ମେଘ ଆଢ଼ୁଆଳରେ ଲୁଚିଗଲେ । ଗଣେଶ ତାଙ୍କୁ ଅଭିଶାପ ଦେଲେ, ଏଣିକି ମୋ ଜନ୍ମତିଥିରେ ତୁମକୁ ଚାହିଁବା ବ୍ୟକ୍ତି ଜ୍ଞାତି ପରିଜନଙ୍କ ଦ୍ୱାରା ଭୁଲ ବୁଝାମଣାରେ ଓ ମିଥ୍ୟା କଳଙ୍କ ଦୋଷରେ ଭାଗୀ ହେବେ । ଏଣୁ ଏହିଦିନ ଚନ୍ଦ୍ର ଦର୍ଶନ ନିଷେଧ ଅଛି ।
ଶ୍ରୀଗଣେଶ ଯିଏକି ବିଦ୍ୟାବୁଦ୍ଧିର ଅଧିକାରୀ, ତାଙ୍କ ପାଖରେ ସୃଷ୍ଟିର ରହସ୍ୟ, ଆତ୍ମା-ପରମାତ୍ମାଙ୍କ ରହସ୍ୟ, କର୍ମର ଗହନ ଗତିର ସୂତ୍ର ଓ ପବିତ୍ରତାର ବଳ ଥିବାରୁ ସର୍ବଦେବାଦେବୀଙ୍କର ଅଗ୍ରରେ ସେ ସ୍ଥାନ ପାଇ ଆସିଛନ୍ତି । ସେ ତେତ୍ରିଶକୋଟି ଦେବଗଣଙ୍କ ମଧ୍ୟରେ ଅଗ୍ରପୂଜ୍ୟ, ସର୍ବଶ୍ରେଷ୍ଠ, ବିଘ୍ନବିନାଶକାରୀ ଓ ସାର୍ବଭୌମ ଗଣଦେବତା ଭାବେ ମାନ୍ୟତା ଲାଭ କରିଛନ୍ତି ।

ଡ଼ ପ୍ରତିଭା ମହାରଥୀ
ଖାରବେଳନଗର, ୟୁନିଟ୍‌-୩, ଭୁବନେଶ୍ୱର
ମୋ – ୯୪୩୭୦୩୬୮୦୯

 

Leave A Reply

Your email address will not be published.