ଖୋଲିବ କ୍ରୀଡା କମ୍ପ୍ଲେକ୍ସ: ଦର୍ଶକଙ୍କ ପ୍ରବେଶ ମନା

By Shakti Prakash Nanda

ନୂଆଦିଲ୍ଲୀ : May 17: ସୋମବାରଠୁ ସାରାଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବାକୁଯାଉଛି । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ୍‌ ଅନୁଯାୟୀ ଷ୍ଟାଡିୟମ୍‌ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଗୁଡିକୁ ଖୋଲିବା ପାଇଁ ଅନୁମତି ମିଳିଛି । ହେଲେ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟର ଗାଇଡ ଲାଇନ୍‌ ଅନୁଯାୟୀ କ୍ରୀଡା କ୍ଷେତ୍ରର କଟକଣାକୁ କୋହଳ କରାଯାଇଛି । ଆଗାମୀ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିବ । ଏପର୍ଯ୍ୟନ୍ତ ଭାରତରେ ୯୦ ହଜାରରୁ ଊଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଖାପାଖି ୩୦୦୦ ଜଣଙ୍କ ମୃତୁ୍ୟ ହୋଇସାରିଛି ।
ପୂର୍ବ ଘୋଷଣା ମୁତାବକ କୌଣସି କାର୍ଯ୍ୟକ୍ରମ, ଲୋକଗହଳିକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ଭାରତର ସର୍ବାଧିକ ଲୋକପ୍ରିୟ ଆଇପିଏଲ୍‌କୁ କରୋନା ସଂକ୍ରମଣ ଯୋଗୁଁ ବାତିଲ କରାଯାଇଥିଲା । ରବିବାର ଏହି ବଡ଼ ଘୋଷଣା ଯୋଗୁଁ ଆଇପିଏଲ୍‌ ଆୟୋଜନ ନେଇ ବାଟ ଫିଟିଛି । ଯଦି ଫ୍ରାଞ୍ଚାଇଜ୍‌ ଗୁଡିକ ବିନା ଦର୍ଶକରେ ଖେଳିବା ପାଇଁ ରାଜି ହୁଅନ୍ତି ତେବେ ଆଇପିଏଲ୍‌ ଆୟୋଜନ ସମ୍ଭବ ହୋଇପାରିବ । ଆଗାମୀ କିଛି ଦିନ ମଧ୍ୟରେ ଯାତାୟତ ସମ୍ପର୍କିତ କଟକଣା କୋହଳ ହେବାର ଅଛି । ଅର୍ଥାତ୍‌ ଘରୋଇ ଓ ଅନ୍ତର୍ଜାତୀୟସ୍ତରରେ ବିମାନ ସେବା ସ୍ୱଭାବିକ ହେଲେ ବିଦେଶୀ ଖେଳାଳିଙ୍କ ଆଗମନ ସମ୍ଭବ ହୋଇପାରିବ ।
ଟୋକିଓ ଅଲିମ୍ପିକ୍ସ ପାଇଁ ପଟିଆଲା ଓ ବେଙ୍ଗାଲୁରୁ ସ୍ଥିତ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ବହୁ ପ୍ରତିଯୋଗୀ ମାର୍ଚ୍ଚ ମଧ୍ୟଭାଗରୁ ଅଟକି ରହିଛନ୍ତି । କରୋନା ଆତଙ୍କ ଯୋଗୁଁ ସମସ୍ତ କ୍ରୀଡା କାର୍ଯ୍ୟକ୍ରମକୁ ମାର୍ଚ୍ଚ ମାସରେ ସ୍ଥଗିତ ରଖାଯାଇଥିଲା । ଗତ ସପ୍ତାହରେ କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ଆଥଲେଟଙ୍କ ସହ କଥା ହୋଇଥିଲେ । ୩ ତାରିଖରେ କ୍ରୀଡାମନ୍ତ୍ରୀ ଘୋଷଣା କରିଥିଲେ ଯେ, ପର୍ଯ୍ୟାୟକ୍ରମ ଜାତୀୟ କ୍ୟାମ୍ପ ଗୁଡିକୁ ଖୋଲାଯିବ । ବିଶେଷକରି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଆଥଲେଟ୍‌ଙ୍କ ପ୍ରଶିକ୍ଷଣର ବ୍ୟବସ୍ଥା ହେବ । ଭାରତୀୟ ଅଲିମ୍ପିକ୍‌ ସଂଘ ମଧ୍ୟ କ୍ରୀଡା ପାଇଁ କୋହଳ ନୀତି ଅବଲମ୍ବନ କରିବାକୁ କ୍ରୀଡାମନ୍ତ୍ରୀଙ୍କୁ ନିବେଦନ କରିଥିଲା । ରବିବାର ଆଇଓଏ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏକକାଳୀନ ୨୨୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ କ୍ରୀଡାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।
ଉପକୃତ ହେବେ ଓଡ଼ିଆ ପ୍ରତିଯୋଗୀ
କେନ୍ଦ୍ର ସରକାରଙ୍କ ଘୋଷଣା ପରେ ସୋମବାରଠୁ ରାଜ୍ୟର ସମସ୍ତ କ୍ରୀଡା କମ୍ପ୍ଲେକ୍ସ ଗୁଡିକ ଖୋଲିବାର ପଥ ସୁଗମ ହୋଇଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ସାଙ୍ଗକୁ କଟକର ବାରବାଟୀ ଷ୍ଟାଡିୟମ୍‌, ସତ୍ୟବ୍ରତ ଷ୍ଟାଡିୟମ୍‌, ସମସ୍ତ ଇନ୍‌ଡୋର ହଲ୍‌, ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍‌ ଆଦି ପୁଣି କାର୍ଯ୍ୟକ୍ଷମ ହେବ । ରାଜ୍ୟରେ ଥିବା ୧୬ଟି କ୍ରୀଡାବିତ୍‌ ଗଢ଼ିବା କାରଖାନା (ସ୍ପୋର୍ଟ୍ସ ହଷ୍ଟେଲ) ବିଶେଷ ଭାବେ ଉପକୃତ ହେବେ । ଏସମସ୍ତ ସ୍ପୋର୍ଟ୍ସ ହଷ୍ଟେଲରେ ମୋଟ୍‌ ୧୨୫୦ ଜଣ (୯୫୦ ବାଳକ, ୩୦୦ ବାଳିକା)ଅନ୍ତେବାସୀଙ୍କୁ ୧୬ଟି କ୍ରୀଡାରେ ପ୍ରଶିକ୍ଷଣ ଦିଆଯାଉଛି । କରୋନା ଯୋଗୁଁ ସମସ୍ତ ସ୍ପୋର୍ଟ୍ସ ହଷ୍ଟେଲକୁ ବନ୍ଦ କରିଦିଆଯାଇଥିଲା । କ୍ରୀଡାବିତ୍‌ଙ୍କ ପ୍ରଶିକ୍ଷଣ ମଧ୍ୟ ଠପ୍‌ ହୋଇଯାଇଥିଲା । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ କ୍ରୀଡା ଜଗତ ପୁଣି ଚଳଚଞ୍ଚଳ ହେବାକୁଯାଉଛି । ଭୁବନେଶ୍ୱର କ୍ରୀଡା ଛାତ୍ରାବାସ ୧୯୮୫-୮୬ରୁ କାର୍ଯ୍ୟକ୍ଷମ ହେଲାଣି । ଏହି ହଷ୍ଟେଲରେ ୨୪୦ ଜଣ ଅନ୍ତେବାସୀଙ୍କ ରହିବାର ବ୍ୟବସ୍ଥା ଅଛି । ଷ୍ଟାଡିୟମ୍‌ ପରିସରରେ ଆଥଲେଟିକ୍ସ, ବାସ୍କେଟବଲ, ଫୁଟବଲ, ଭଳିବଲ, ସୁମିଂ, ଭାରୋତ୍ତୋଳନ, ହକି, ଟେନିସ୍‌ ଆଦି କ୍ରୀଡା ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି । ଆଉଟ୍‌ଡୋର ପ୍ରଶିକ୍ଷଣକୁ ଅନୁମତି ମିଳିଲେ ଷ୍ଟାଡିୟମ୍‌ର ସମସ୍ତ ଅନ୍ତେବାସୀ ପୁଣି ମୁଖଧାରାକୁ ଫେରିବେ । ସେହିଭଳି ବଲାଙ୍ଗୀର, ସମ୍ବଳପୁର, ବାରିପଦା, ଭବାନୀ ପାଟଣା, ସୁନ୍ଦରଗଡ଼, ପାନପୋସ୍‌, କେଉଁଝର, କଟକ, କୋରାପୁଟ, ପୁରୀ, ବ୍ରହ୍ମପୁର, ଫୁଲବାଣୀ, ବାଲେଶ୍ୱର, ନୟାଗଡ଼ ଓ ମାଲକାନାଗିରିରେ ଥିବା ଛାତ୍ରାବାସ ଗୁଡିକର ଅନ୍ତେବାସୀ ପ୍ରଶିକ୍ଷଣର ସୁବିଧା ପାଇପାରିବେ ।

Comments are closed.