ଖାଦ୍ୟ ଓ ଜଳ ବିନା ୭୬ବର୍ଷ ବଞ୍ଚିଥିବା ବାବା ପ୍ରହଲ୍ଲାଦ ଜାନିଙ୍କ ପରଲୋକ

Edited by Papu Mohanty

ଅହମ୍ମଦାବାଦ : ଦୀର୍ଘ ୭୬ ବର୍ଷ ଧରି ଖାଦ୍ୟ ଓ ଜଳ ଗ୍ରହଣ କରି ନଥିବା ବାବା ପ୍ରହଲ୍ଲାଦ ଜାନିଙ୍କର ମଙ୍ଗଳବାର ଗାନ୍ଧୀନଗର ନିକଟ ଚରଦା ଗ୍ରାମରେ ପରଲୋକ ଘଟିଛି । ତାଙ୍କୁ ୯୦ ବର୍ଷ ହୋଇଥିଲା । ଲାଲ ଶାଢ଼ି ପିନ୍ଧି ନାରୀଙ୍କ ବେଶ ଧାରଣ କରୁଥିବା ବାବା ପ୍ରହଲ୍ଲାଦ ‘ମାତାଜୀ’ ନାମରେ ପରିଚିତ ଥିଲେ । ଜନ୍ମ ସ୍ଥାନରେ କିଛି ଦିନ ରହିବା ପାଇଁ ମନ ବଳାଇବାରେ ଭକ୍ତମାନେ ତାଙ୍କୁ କିଛି ଦିନ ପୂର୍ବେ ତାଙ୍କ ଗାଁକୁ ନେଇଯାଇଥିଲେ । ମଙ୍ଗଳବାର ତାଙ୍କ ମୃତଶରୀରକୁ ବନସ୍କଣ୍ଟା ଜିଲା ଅନ୍ତର୍ଗତ ଅମ୍ବାଜୀ ମନ୍ଦିର ପରିସରରେ ଥିବା ଗୁମ୍ଫା ଆଶ୍ରମକୁ ଅଣାଯାଇଛ । ସେଠାରେ ଦୁଇ ଦିନ ରଖାଯିବା ପରେ ସମାଧି ଦିଆଯିବ ବୋଲି ଭକ୍ତମାନେ କହିଛନ୍ତି । ମାତ୍ର ୧୪ବର୍ଷ ବୟସରୁ ଐଶ୍ୱରିକ ଶକ୍ତି ବଳରେ ସେ ଖାଦ୍ୟ ଓ ଜଳ ପରିତ୍ୟାଗ କରିଥିଲେ । ସେବେଠାରୁ ଖାଦ୍ୟ ଓ ଜଳ ବିନା ଜୀବନଧାରଣ କରୁଥିବା ନେଇ ପ୍ରହଲ୍ଲାଦଙ୍କ ଦାବି ଅନୁସାରେ ୨୦୦୩ ଓ ୨୦୧୦ରେ ବୈଜ୍ଞାନିକମାନେ ତାଙ୍କର ପରୀକ୍ଷାନିରୀକ୍ଷା କରିଥିଲେ । ଏମିତିକି ୨୦୧୦ରେ ବାବା କିପରି କେବଳ ବାୟୁସେବନ କରି ବଞ୍ଚୁଛନ୍ତି ତାହା ଜାଣିବା ପାଇଁ ଡିଫେନ୍ସ ଇନ୍‌ଷଫିଚ୍ୟୁଟ୍‌ ଅଫ ଫିଜିଓଲଜି ଆଣ୍ଡ ଆଲାଏଡ ସାଇନ୍ସେସ୍‌ (ଡିଆଇପିଏଏସ୍‌) ପକ୍ଷରୁ ୧୫ଦିନ ତାଙ୍କର ଅନୁଧ୍ୟାନ କରାଯାଇଥିଲା । ଜାନି ଖାଦ୍ୟ ଓ ଜଳ ବିନା ଜୀବନଧାରଣ କିପରି କରୁଛନ୍ତି ତାହାର କାରଣଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସଂଧାନ କରି ଫେଲ ମାରିଥିଲେ ।

Comments are closed.