କ୍ୟାବିନେଟ ନିଷ୍ପତ୍ତି; ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା

ଭୁବନେଶ୍ୱର :ଜୁନ ୭: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା । ରବିବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବସିଥିବା କ୍ୟାବିନେଟ୍‌ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରସ୍ତାବ ଉପରେ ମୋହର ଦିଆଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ମାନ୍ୟତା ଫଳରେ ଦୀର୍ଘଦିନରୁ ଲକ୍ଷ ଲକ୍ଷ ଓଡ଼ିଆଙ୍କ ପକ୍ଷରୁ ହେଉଥିବା ଦାବି ପୂରଣ ହୋଇଛି । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଗତ ମେ ୩୦ ତାରିଖରେ ସନ୍ଧ୍ୟା ସାଢେ ୫ଟାରେ ସମସ୍ତ ଓଡ଼ିଶାବାସୀ ଓ ପ୍ରବାସୀ ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ ଓ ଏଥିପ୍ରତି ବିପୁଳ ସମର୍ଥନ ମିଳିଥିଲା । ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଏକ ନିର୍ଦ୍ଦିଷ୍ଟ ସମୟରେ ସୁଭିଥିଲା ବନ୍ଦେ ଉତ୍କଳ ଜନନୀର ଧୁନ । ଏହାପରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ସ୍ୱର ତୀବ୍ର ହୋଇଥିଲା ଓ ସାଢେ ଚାରି କୋଟି ଓଡିଶାବାସୀଙ୍କର ଭାବାବେଗକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଏହି ସଂଗୀତ ଗାୟନର ଅନୁମୋଦିତ ସ୍ୱ୍ୱର ରେକଡିଂ ତଥା ଶୈଳୀ ଓଡିଆ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସଂଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭା ସମିତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଂଗୀତ କିମ୍ବା ବାଦ୍ୟଯନ୍ତ୍ର ସଂଗୀତ ସହ ଏହାକୁ ଗାନ କରାଯିବ । ଉଦଯାପନୀ, ଉଦଘାଟନୀ ଓ ଉଦବୋଧନୀ ସଂଗୀତ ଭାବରେ ଏହା ଗାନ କରାଯିବା ସମୟରେ ଏହି ରାଜ୍ୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତ ବ୍ୟକ୍ତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ ମାତ୍ର ବୟସ୍କ, ଭିନ୍ନକ୍ଷମ, ଅସୁସ୍ଥ, ଶିଶୁ ଏବଂ ଗର୍ଭବତୀ ମହିଳା ବିନମ୍ରତାର ସହ ସଂଗୀତକୁ ସମ୍ମାନ ଜଣାଇବେ । ଏହି ସଂଗୀତ ପୁଲିସ୍‌ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ରରେ ମଧ୍ୟ ପରିବେଷଣ କରାଯିବ । ଏହି ସଂଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌମସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠକ୍ରମ୍ୟରେ ଏହି ସଂଗୀତକୁ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.