କୋଭିଡ-19:ଆରୋଗ୍ୟ ହାର ଶତକଡା 49.47 କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୧୨:କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ ଏବେ ଏହା 17.4 ଦିନରେ ଦ୍ଵିଗୁଣିତ ହେଉଛି । କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ସଚିବଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି । ରାଜ୍ୟଗୁଡିକୁ ଆବଧାଞ୍ଚଳ, ନମୁନା ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ରୋଗୀଙ୍କୁ ଠାବ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଓ ସମାଜର ସବୁ ଗୋଷ୍ଠୀ ସହ ସମନ୍ଵୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣର କେନ୍ଦ୍ରସ୍ଥଳୀ ପାଲଟିଥିବା ଅଞ୍ଚଳଗୁଡିକ ଉପରେ ସ୍ଵତନ୍ତ୍ର ଧ୍ୟାନଦେଇ କଡା ଆବଧାଞ୍ଚଳ ମାର୍ଗଦର୍ଶିକା ପାଳନ କରିବାକୁ  ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ହସ୍ପିଟାଲ ଭିତ୍ତିଭୂମିର ବିକାଶ ସହ ଯେପରି ତାଲିମପ୍ରାପ୍ତ  ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ମହଜୁଦ ରହେ ସେଗୁଡିକୁ ଦେଖିବା ପାଇଁ ଅନୁରୋଧ କରାଯାଇଛି ।

କୋଭିଡ-19 ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହୋଇଥବା ବେଳେ ବୟସ୍କ ଓ ଅନ୍ୟାନ୍ୟ ରୋଗ ଇତିହାସ ଥିବା ଲୋକଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଲକ୍ଷଣ ଅନୁସାରେ ଠିକ ସମୟରେ ଉନ୍ନତ ଚିକିତ୍ସା ପାଇଁ ସୁପାରିସ କରିବା, ଆବଶ୍ୟକ ହେଲେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ସହ ଅଧିକ ପରାମର୍ଶ ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡିକୁ ଘର ଘର ବୁଲି ସାମାଜିକ ଦୂରତ୍ଵ ଏବଂ କରୋନା ସଂକ୍ରମଣ କାଳରେ ଆବଶ୍ୟକ ନିୟମ ପାଳନ ନେଇ ସଚେତନ କରିବାକୁ ମଧ୍ୟ କୁହାଯାଇଛି । ଆଇସିଏମଆର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ଅଧିକ ପଦକ୍ଷେପ ନେଇଛି । 637ଟି ସରକାରୀ ଓ 240ଟି ଘରୋଇ ଏହିପରି 877 ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 1,50,305 ନମୁନା ପରୀକ୍ଷଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 53,63,445 ନମୁନା ପରୀକ୍ଷଣ ହୋଇଛି । (PIB)

Comments are closed.