କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା: ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

କୋଭିଡ୍‌ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବାକୁ ବ୍ୟର୍ଥ ହେବାକୁ ଦେବିନି

ଭୁବନେଶ୍ୱର : ଅଗଷ୍ଟ ୫:କୋଭିଡ ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ଓଡ଼ିଶାବାସୀ । ମାନବ ଜାତି ପ୍ରତି ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟବାସୀଙ୍କୁ ୮ ସୂତ୍ରୀ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାରା ଓଡ଼ିଶାରେ ସନ୍ଧ୍ୟା ୬ଟାରେ ୨ମିନିଟ୍‌ ପାଇଁ ଅଟକିଯାଇଥିଲା ଜୀବନ ଯାତ୍ରା । ରାସ୍ତଘାଟ, ଅଫିସ କଚେରି, ବଜାର ଆଦି ସ୍ଥାନରେ ଲୋକମାନେ ଛିଡ଼ା ହୋଇ ନିରବ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟବାସୀ ଯେଉଁଠାରେ ଥିଲେ ସେଠାରେ ହିଁ ନିରବ ପ୍ରାର୍ଥନା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ପୂରା ରାଜ୍ୟକୁ କୋଭିଡ୍‌ ଯୋଦ୍ଧାଙ୍କୁ ସହଯୋଗ ଓ ସମ୍ମାନ କରିବା ଲାଗି ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆ ଯାଇଥିଲା ।
ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍‌ ଯୋଦ୍ଧାଙ୍କୁ ପୂରା ସହଯୋଗ କରିବି ଓ ସମ୍ମାନ ଜଣାଇବି । କୋଭିଡ୍‌ ପାଇଁ ଆମ ସମସ୍ତଙ୍କର ଲଢ଼େଇ । ପ୍ରତିଟି ଲୋକର ଲଢ଼େଇ । ଏ ଲଢ଼େଇରେ ମୁଁ ବି ସାମିଲ୍‌ । କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ । ମୁଁ ନିଜେ କୋଭିଡ୍‌ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିଲାଗି ସଚେତନ କରିବି । କରୋନା ବିରୋଧରେ ଲଢ଼େଇକୁ ମଜବୁତ କରିବି । ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଏବଂ ମାନବ ଜାତି ବି ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶପଥ ପାଠ କରାଇଛନ୍ତି ।

Comments are closed.