କୋଭିଡ୍‌ କିଟ୍‌ କିଣାରେ ଘୋଟାଲା ! ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା

ଭୁବନେଶ୍ୱର:ଜୁନ ୫ :ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା । କୋଭିଡ କିଟ୍‌ କେଳେଙ୍କାରୀ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ରାଜ୍ୟସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଚେଜ୍‌ କମିଟି ମୁଖ୍ୟ ପଦରୁ ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି । କିଛି ଦିନ ପୂର୍ବେ ଅନ୍ୟ ରାଜ୍ୟରୁ ଆସିଥିବା କରୋନା କିଟ୍‌କୁ ରାଜ୍ୟ ଔଷଧ ନିଗମ ଗ୍ରହଣ ନକରିବାରୁ ବିବାଦ ଘନିଭୂତ ହୋଇଥିଲା । ଏହାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହିତ ମାସ୍କ, ପିପିଇ କିଟ୍‌, ଭେଣ୍ଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଥିଲା । ଗୋଟିଏ ପ୍ରକାରର ସାମଗ୍ରୀକୁ ଭିନ୍ନ ଭିନ୍ନ ଦରରେ ବିଭିନ୍ନ ଫାର୍ମରୁ କିଣା ଯାଇଥିଲା । ଏପରିକି ବଜାର ଦର ଠାରୁ ଅଧିକ ମୂଲ୍ୟରେ କିଣା ଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା । ମାମଲା ଦିନକୁ ଦିନ ବଢୁଥିବା ଦେଖି ରାଜ୍ୟସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅପରପକ୍ଷରେ କୋଭିଡ ପରିଚାଳନା କମିଟିରେ ଥିବା ବରିଷ୍ଠ ଆଇଏଏସ୍‌ କ୍ରିଷନ କୁମାର, ବିଶାଳ ଦେବ, ଅନୁ ଗର୍ଗ, ରଶ୍ମିତା ପଣ୍ଡା, ସୁରେନ୍ଦ୍ର କୁମାର, ଭିନିଲ୍‌ କି୍ରଷ୍ଣା, ଅରବିନ୍ଦ ଅଗ୍ରୱାଲ, ସଚିନ୍‌ ଯାଦବ ଓ ଭୂପେନ୍ଦ୍ର ପୁନିଆଙ୍କୁ ମଧ୍ୟ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

Comments are closed.