କୋଟିପତି ପାରା

ଦିଲ୍ଲୀ, ଅଗଷ୍ଟ ୧୬: ପାରା ଘରେ ରହିଲେ ଘରେ ଶୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପ୍ରାୟ ସମସ୍ତେ ଏମାନଙ୍କୁ ଆଦର କରିଥାଆନ୍ତି । ହେଲେ ରାଜସ୍ଥାନରେ ଏମାନଙ୍କୁ ଖୁବ ଅଧିକ ଆଦର ମିଳିଥାଏ । ଏଠାରେ ବାସ କରୁଥିବା ପାରାମାନେ ହେଲେ କୋଟିପତି । ନାଗପୁରର ଜଶନନଗରରେ ରହୁଥିବା ପାରାମାନଙ୍କ ନାମରେ ରହିଛି କୋଟିକୋଟି ଟଙ୍କାର ସମ୍ପତ୍ତି । ଏହି ସମ୍ପତ୍ତିରେ ରହିଛି ଦୋକାନ, ଘର, ଜମି, ବାଡି ସହିତ ବ୍ୟାଙ୍କରେ ଜମା ହୋଇଥିବା ଅର୍ଥ ।
ଏକ ରିପୋର୍ଟ ଅନୁସାରେ ଗୋଟିଏ ପାରା ନାମରେ ୨୭ଟି ଦୋକାନ ସହିତ ୩୦ ବ୍ୟାଙ୍କରେ ଜମା ହୋଇଥିଲା ୩୦ ଲକ୍ଷ ଟଙ୍କା ଓ ଅନେକ ଜମି । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଏହି ପରମ୍ପରା ଅନେକ ପୂର୍ବରୁ ଆରମ୍ଭ ହୋଇଛି । ଆଜିକାଲିର ପିଢି ତାଙ୍କ ପୂର୍ବ ପୁରୁଷଙ୍କ ଠାରୁ ପ୍ରେରଣା ନେଇ ଏହି ମହତ କାମକୁ ଆଗେଇ ନେଇଛନ୍ତି । ଏହାକୁ ଆରମ୍ଭ କରିବା ସମୟରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାଟି ଫିଟୁନଥିବା ଜୀବଙ୍କୁ ଖାଦ୍ୟ ଯୋଗାଇବା । ଅଞ୍ଚଳର ଅନେକ ଶିଳ୍ପପତି ଏହି କାର୍ଯ୍ୟରେ ଯୋଗଦେଇଛନ୍ତି । ଅନେକ ଲୋକ ଏହି କାର୍ଯ୍ୟ ପାଇଁ ମୁକ୍ତ ହସ୍ତରେ ଦାନ ଦେଇଥାଆନ୍ତି । ବର୍ତ୍ତମାନ ପାରାଙ୍କ ନାମରେ ଥିବା ଜମିରେ ଗୋଟିଏ ଗୋଶାଳା କରାଯାଇଛି ଯେଉଁଥିରେ ୫୦୦ ଗାଈ ରହୁଛନ୍ତି । ଏମାନଙ୍କୁ ଏଠାରେ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯାଇଛି । ସେହିଭଳି ଏହି ପ୍ରକଳ୍ପ ଅଧୀନରେ ପ୍ରାୟ ୨୭ଟି ଦୋକାନ କରାଯାଇଛି, ଯେଉଁମାନେ ପାରାଙ୍କର ସୁରକ୍ଷା ସହ ଖାଦ୍ୟ ବିଷୟରେ ସମସ୍ତ କଥା ଜଗାରଖା କରୁଛନ୍ତି । ସେମାନଙ୍କ କାମ ହେଲା ପାରାଙ୍କୁ ସବୁଦିନ ପାଣି ସହ ଖାଦ୍ୟ ଯୋଗାଇବା । ସେହିଭଳି ଗଠନ ହୋଇଥିବା ଟ୍ରଷ୍ଟର ନାମ ‘କବୁତରସ୍ଥାନ’ । ପାରାଙ୍କ ନାମରେ ଥିବା ସମସ୍ତ ସ୍ଥାନକୁ ଭଡାରେ ଦିଆଯାଇଛି । ଯେଉଁଥିରୁ ଅନେକ ଅର୍ଥ ସବୁ ମାସରେ ଉପାର୍ଜନ ହୋଇଥାଏ, ଯାହାକୁ ବ୍ୟାଙ୍କରେ ଜମା କରାଯାଇଥାଏ । ଏହି ଅର୍ଥରେ ଗୋଶାଳା ଖର୍ଚ୍ଚ ସହ ପାରାଙ୍କ ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ କରାଯାଇଥାଏ । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ଏପରି ଚାଲିଛି ।

Comments are closed.