କେନ୍ଦ୍ର ନିକଟରେ ମନ୍ତ୍ରୀ ଅରୁଣଙ୍କ ଦାବି;ଜୁନ୍‌-ଜୁଲାଇର ନିଅଣ୍ଟିଆ ସାର ଯୋଗାଣ କରାଯାଉ

ଅଗଷ୍ଟ ରେ ବାକିଆ ୧ଲକ୍ଷ ୩ହଜାର ମେଟ୍ରିକ ଟନ୍‌ ସାର ଦିଆଯାଉ

ଭୁବନେଶ୍ୱର: ଅଗଷ୍ଟ ୧୯: ଓଡ଼ିଶା ପାଇଁ ଜୁନ୍‌ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ କରାଯାଉ । ଅଗଷ୍ଟ ମାସରେ ବାକି ୧ ଲକ୍ଷ ୩ ହଜାର ମେଟ୍ରିକ‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି । ତେଣୁ ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ମନସୁଖଭାଇ ମାଣ୍ଡଭିୟ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହିତ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅଗଷ୍ଟ ମାସରେ ବାକି ୟୁରିଆ ସାର ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ମନ୍ତ୍ରୀ ଶ୍ରୀ ସାହୁ । ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ସେପେଫମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ । ଖରିଫ୍‌ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ । ଭାରତର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନାହିଁ । ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ । ୨୦୨୦ ଜୁନ୍‌ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ହଜାର ମେଟ୍ରିକ ଟନ୍‌ ଥିବାବେଳେ ୫୬ ହଜାର ୨୨୮ ମେଟ୍ରିକ ଟନ୍‌ ସାର ଯୋଗାଣ ହୋଇଥିଲା ଯାହା ଚାହିଦାଠାରୁ ୧୩ ହଜାର ୭୭୨ ମେଟ୍ରିକ‌ ଟନ୍‌ କମ୍‌ ଥିଲା । ସେହିପରି ଜୁଲାଇ ମାସରେ ୧୯ ହଜାର ୬୧୯ ମେଟ୍ରିକ ‌ ଟନ୍‌ କମ୍‌ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ଏକ ଲକ୍ଷ ମେଟ୍ରିକ ‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪ ହଜାର ୧୫୦ ମେଟ୍ରିକ ‌ ଟନ୍‌ ଯୋଗାଣ ହୋଇଛି । ଜୁନ୍‌ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏ ବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟ୍ରିକ ‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି । ଓଡ଼ିଶାରେ ଖରିଫରେ ମୁଖ୍ୟତଃ ଧାନଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଇଫକୋ, ଆରସିଏଫ, ଏନ୍‌ଏଲଏଫ ଆଦି ସାର କମ୍ପାନୀଗୁଡ଼ିକ ନିଜସ୍ୱ ଉତ୍ପାଦିତ ସାର ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇନାହିଁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ ପଟାସ ଲିମିଟେଡ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ ଅନୁରୋଧ କରିଥିଲେ । ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍‌ଲେସ୍‌ ଓ ଡିଜିଟାଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଦ୍ୟାବଧି ୧୦୦୦ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡ଼ିଜିଟାଲ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଯୋଗ ଦେଇଥିଲେ ।

Comments are closed.