କାଲି ଖେଳିବେ ଦୂତି

ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ କାଲି ଟୋକିଓ ଅଲମ୍ପିକ୍ସ ଖେଳିବେ । ସେ ଏକମାତ୍ର ଭାରତୀୟ ଆଥ୍‌ଲେଟିକ୍‌, ଯିଏ କି ଦୁଇଟି ଇଭେଣ୍ଟ ଯଥା-୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ଼ରେ ଭାଗ ନେଉଛନ୍ତି ।
କାଲି ୧୦୦ ମିଟର ଦୌଡ଼ ହେବ । ଭାରତୀୟ ସମୟ ଅନୁଯାୟୀ ସକାଳ ୮ରୁ ୯ଟା ଭିତରେ ରହିଥିବା ୭ଟି ହିଟ୍ସ ମଧ୍ୟରୁ ଗୋଟିଏରେ ସେ ଦୌଡ଼ିବେ । ୧୦୦ ମିଟର ଦୌଡ଼ ପାଇଁ କ୍ୱାଲିଫାଇଙ୍ଗ୍‌ ଟାଇମ୍‌ ୧୧.୧୫ ସେକେଣ୍ଡ ରହିଥିଲା । ଏଣୁ ଅଲମ୍ପିକ୍ସ ଟିକେଟ୍‌ ତାଙ୍କୁ ସିଧାସଳଖ ମିଳିନଥିଲା । ବିଶ୍ୱ ରାଙ୍କିଂ ଅନୁସାରେ ତାଙ୍କୁ ଟିକେଟ୍‌ ମିଳିଛି ।
୧୦୦ ମିଟର ଦୌଡ଼ରେ ତାଙ୍କ ପୂର୍ବ ରେକର୍ଡ ୧୧.୧୭ ରହିଥିଲା । ଯାହା ଜାତୀୟ ରେକର୍ଡ ଅଟେ । ୧୦୦ ମିଟର ଦୌଡ଼ରେ ଦୂତିଙ୍କ ବିଶ୍ୱ ରାଙ୍କିଂ ୪୨ ଥିଲା ବେଳେ ୨୦୦ ମିଟର ଦୌଡ଼ରେ ରହିଛି ୫୨ । ଏହାପୂର୍ବରୁ ଦୂତି ରିଓ ଅଲମ୍ପିକ୍ସରେ ଭାଗ ନେଇଥିଲେ ।

Comments are closed.