କରୋନା ସମୟରେ ତୈଳଦର ବୃଦ୍ଧି; ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ

Edited by Papu Mohanty

ଭୁବନେଶ୍ୱର :May 17: ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ୟାକେଜ୍‌ ଘୋଷଣା କରିଚାଲିଛନ୍ତି । ତାକୁ ସମୀକ୍ଷା କଲେ ଜଣାଯିବ, ଏହି ପ୍ୟାକେଜ୍‌ ସବୁ ଲୋକଙ୍କୁ ଲୁଟିବାର ଗୋଟିଏ ରାସ୍ତା। ଦିନ ଦ୍ୱିପ୍ରହରରେ ଲୁଟିବାକୁ ପଛାଉନାହIନ୍ତି ଏମାନେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୧୦ ଡଲାର ଥିଲା, ତେଲ ଦର ବର୍ତ୍ତମାନ ଦରଠୁ କମ୍‌ ଥିଲା । କିନ୍ତୁ ଏବେ ବ୍ୟାରେଲ୍‌ ପିଛା ଅଶୋଧିତ ତୈଳର ମୂଲ୍ୟ ୩୦ ଡଲାର ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଭାଟ୍‌ ବଢ଼େଇ ତେଲ ଦର କ୍ରମାଗତ ଭାବେ ବଢ଼େଇ ଚାଲିଛନ୍ତି । କିଛିଦିନ ତଳେ କେନ୍ଦ୍ର ସରକାର ଦର ବଢ଼ାଇଥିବା ବେଳେ, ଆଜିଠାରୁ ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସା ବଢ଼ାଇଛନ୍ତି । ପ୍ରକୃତରେ ତେଲର ମୂଳ ମୂଲ୍ୟ ଲିଟର ପିଛା ୨୦ ଟଙ୍କା ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ୪୮ରୁ ୫୨ ଟଙ୍କା ଜନସାଧାରଣଙ୍କଠାରୁ ଲୁଟି ଚାଲିଛନ୍ତି । ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ୩୩ ଟଙ୍କା ଭାଗ ପାଉଥିଲା ବେଳେ ରାଜ୍ୟ ସରକାର ୧୭ ଟଙ୍କା ଭାଗ ପାଉଛନ୍ତି । ସେହିପରି ଡିଜେଲରେ ଲିଟର ପିଛା କେନ୍ଦ୍ରସରକାର ୩୨ ଟଙ୍କା ପାଉଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ପାଉଛନ୍ତି । ଏହା ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ। ବୋଝ ହେଉଛନ୍ତି କେନ୍ଦ୍ର ସରକାର, ଲଳିତା ବିଡ଼ା ହେଉଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଦରଦାମ୍‌ ବୃଦ୍ଧି ପାଇବ ଏବଂ ଯେଉଁମାନେ ଗ୍ରାହକ, ସେମାନେ ହଇରାଣ ହେବେ। ଏବେ କରୋନା ମହାମାରୀ ସମୟରେ ଲୋକ ଆର୍ଥିକ ଦୂରାବସ୍ଥା ଦେଇ ଗତି କରି ହଇରାଣ ହେଉଥିବା ବେଳେ ସେମାନେ ଆହୁରି ହୀନସ୍ତା ହେବେ। ଏହା ଲୋକମାନଙ୍କୁ ସାହାଯ୍ୟ କରାଯାଉଛି ନା ତାଙ୍କର ଆର୍ଥିକ ଅବସ୍ଥାକୁ ତଳିତଳାନ୍ତ କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି, ବୁଝି ହେଉନାହିଁ। ଏହାଦ୍ୱାରା ସାଧାରଣ ଲୋକ ଓ ଖାଉଟିଙ୍କର ମଙ୍ଗଳ ହେବନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

Comments are closed.