କରୋନା ସଂକ୍ରମଣ ରୋକିବା ପାଇଁ ଦୁଇଭାଇଙ୍କର ଅଭିନବ ପ୍ରୟାସ

By Soumya Ranjan Patnaik

ବାରିପଦା, (ସବ୍ୟୁ) : ସାରା ବିଶ୍ୱରେ ଏବେ ମହାମାରୀ କରୋନାର ଆତଙ୍କ ଚାଲିଥିବାବେଳେ ଗାଁ ଠୁ ନଗର-ମହାନଗର ଯାଏଁ ଦେଶବ୍ୟାପୀ ସମସ୍ତେ କୋଭିଡ୍‌-୧୯ ପାଇଁ ଆତଙ୍କିତ । ତେଣୁ ସରକାରଙ୍କ ସମସ୍ତ ନିତିନିୟମ ମାନି ସମସ୍ତେ ସଚେତନ ହେବା ନିମନ୍ତେ ଚେଷ୍ଟା କରିବାସହ ନିଜ ହାତକୁ ବାରମ୍ବାର ସାନିଟାଇଜ୍ କରିବା ସହ ସାମାଜିକ ଦୂରତ୍ୱ ଉପରେ ଧ୍ୟାନ ରଖୁଛନ୍ତି । ଏହିପରି ମୁହୂର୍ତ୍ତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବାରିପଦାର ଉଦୀୟମାନ ଦୁଇଭାଇ ଇଂ ସୁମିତ ପଣ୍ଡା ଓ ବିଶ୍ୱଜିତ ପଣ୍ଡା ଅଣ୍ଟା ଭିଡିଛନ୍ତି, ତାଙ୍କ ଦ୍ୱାରା ନିର୍ମିତ ହେଣ୍ଡ ଫ୍ରି ସେନିଟାଇଜର ଡିସ୍‌ପେନ୍‌ସନ ଜୋରିଆରେ । ଖୁବ୍ ଅଳ୍ପଖର୍ଚ୍ଚରେ ଏହି ହାତତିଆରି ସାନିଟାଇଜର ମେସିନକୁ ଗୋଡରେ ଦବେଇ ହାତକୁ ଉତ୍ତମ ରୂପେ ସଂଶୋଧିତ ବା ସାନିଟାଇଜେସନ କରାଯାଇପାରୁଥିବାବେଳେ ବଜାରରେ ଏବେ ଏହାର ଚାହିଦା ବଢିବାରେ ଲାଗିଛି । କାରଣ ଏହି ସାନିଟାଇଜରକୁ ତିଆରି କରିବା ପାଇଁ କୌଣସି ଅତ୍ୟାଧୁନିକ ଟେକ୍‌ନୋଲୋଜି ବ୍ୟବହାର କରାଯାଇନାହିଁ ଏବଂ ଏହାର ଆୟତନ ମଧ୍ୟ ବହୁତ ଛୋଟ । ଫଳରେ ଯେକୌଣସି ସ୍ଥାନରେ ଏହାକୁ ରଖାଯାଇପାରିବ ବୋଲି ଇଂ ସୁମିତ ପଣ୍ଡା ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦୁଇଭାଇ ମିସି ୧୦ଟି ହେଣ୍ଡ ଫ୍ରି ସାନିଟାଇଜର ଡିସପେନସର ତିଆରି କରିଥିବାବେଲେ ଏଥିମଧ୍ୟରୁ ୫ଟି ବିକ୍ରି ହୋଇଥିବାର ସେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଏହାକୁ ବିଭିନ୍ନ ଅଫିସ ଓ ଅନୁଷ୍ଠାନ ମାନଙ୍କରେ ବ୍ୟବହାର କରିବାପାଇଁ ବିଶ୍ୱଜିତ ପଣ୍ଡା ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବାରିପଦା ମାର୍କେଟର ଜଣେ ଗ୍ରୋସରୀ ଦୋକାନୀ ଏହି ହାତ ତିଆରି ସାନିଟାଇଜର ମେସିନକୁ ଦୋକାନରେ ନିଜେ ବ୍ୟବହାର କରିବା ସହ ଗ୍ରାହକ ତଥା ସ୍ଥାନୀୟ ଲୋକଙ୍କୁ ସଚେତନ କରେଇ ପାରୁଛନ୍ତି । ଏଭଳି ଅଭିନବ ପ୍ରୟାସକୁ ଜନସାଧାରଣରେ ପ୍ରଶଂସା କରିବା ସହିତ ଦୁଇଭାଇଙ୍କୁ ସାଧୁବାଦ ଜଣାଇଛନ୍ତି ।

Comments are closed.