କରୋନା ପ୍ରଭାବ; ନୂଆଖାଇ ବଜାର ମାନ୍ଦା

ଭୁବନେଶ୍ୱର : ଅଗଷ୍ଟ ୧୯: ଆଉ ମାତ୍ର ଅଳ୍ପଦିନ ରହିଲା ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ । ସେଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଠାରେ ଲଗ୍ନ ଧାର୍ଯ୍ୟ ହେବାକ୍ଷଣି ଦୁରରେ ଥିବା ପରିବାରର ସଦସ୍ୟଙ୍କୁ ଘରକୁ ଆସିବାକୁ ଖବର ଦିଆଗଲାଣି । ତେବେ ଏହି ପର୍ବ ପାଇଁ ବଜାର ପ୍ରତିବର୍ଷ ସରଗରମ ହେଉଥିଲାବେଳେ ଚଳିତ ଥର କିନ୍ତୁ ମାନ୍ଦା । ବେପାରବଟା ସେଭଳି ହେବାର ଦେଖାଯାଉନାହିଁ । ନୁଆଁଖାଇ ଦିନ ମାନଅଭିମାନ ଭୁଲି ପରିବାରର ସମସ୍ତ ସଦସ୍ୟ ମିଶି ଏକାଠି ବସି ନୁଆ ଖାଇବାର ପରମ୍ପରା ରହିଛି । ଆଉ ସେଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ନୁଆ ଧାନ ବା ସରିଆ ଧାନ ବିଲରୁ ଅମଳ କରି ସାରିଲେଣି ଚାଷୀ । ହେଲେ ସରକାରଙ୍କ ନିର୍ଦ୍ଦେଶାନୁସାର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା ଭିତରେ ହିଁ ନୀତି ନିୟମ ଅନୁସାରେ ନୂଆଁଖାଇ ପାଳିବା ପାଇଁ କୁହାଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଦୁଃଖ ଥିଲେ ବି ଛୋଟ ଆଶାଟିଏ ରହିଛି ।
ନୂଆଁଖାଇ ପାଇଁ ପଶ୍ଚିମ ଓଡିଶା ପ୍ରସ୍ତୁତି କରୁଛି ସତ ହଲେ ଆଶା ଆଶଙ୍କାରେ ଅଛନ୍ତି କୁଚିଣ୍ଡାର କୁମ୍ଭକାର ଓ ବାଉଁଶ କାରିଗର ପରିବାର । ନୁଆଁଖାଇ ପର୍ବ ପାଇଁ ବିଭିନ୍ନ ମାଟି ପାତ୍ର ତିଆରି କରୁଥିବା କାରିଗର ଏବେ ନିଜ ବୃତିକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ କରୋନା ମହାମାରୀ ବାଉଁଶ କାରିଗରଙ୍କ ବେପାରକୁ ବି ଛଡାଇ ନେଇଛି । କରୋନା କଟକଣା ଯୋଗୁଁ ଅନେକ ପରିବାରର ସଦସ୍ୟ ଏବେ ଘରୁ ବାହାରୁନାହାଁନ୍ତି । ତା ପରେ ସାମାଜିକ ଦୂରତାର କଟକଣା ଯୋଗୁ ବହୁ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ୍‌ ଲାଗିଛି । ପରିବାର ସଦସ୍ୟମାନେ ମଧ୍ୟ ସାମାଜିକ ଦୂରତା ରଖିବା ଓ ନୂଆଖାଇ ଜୁହାର କାର୍ଯ୍ୟକ୍ରମରେ ଏକତ୍ରିତ ହେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବାରୁ ଚଳିତବର୍ଷର ନୂଆଖାଇ ଉଭୟ ବ୍ୟବସାୟ ଓ ତାର ଉତ୍ସବ ମାହୋଲ ପ୍ରଭାବିତ ହବାର ସମ୍ଭାବନା ରହିଛି ।

Comments are closed.