‘କରୋନାଭାଇରସ’ ପାଇଁ ଆଡ଼ଭାଇଜରି ଜାରି କଲା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର:  ଓଡିଶା ସରକାର ସ୍ୱାସ୍ଥ୍ୟ ବିଭାଗ “କରୋନା ଭାଇରସ ” ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛନ୍ତି । ଚୀନରୁ ସୃଷ୍ଟି ହୋଇ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’  ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି ।  ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ  ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍‌ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ  ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି।  ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏପର୍ଯ୍ୟନ୍ତ ୯୬ଟି ବିମାନରେ ଆସିଥିବା ପ୍ରାୟ ୨୦,୮୪୪ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଶୁକ୍ରବାର ସୁଦ୍ଧା  ୬୦ଟି ବିମାନରେ ଆସିଥିବା ପ୍ରାୟ ୧୨,୮୨୮ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଦେଶରେ କୌଣସି ଲୋକଙ୍କଠାରେ କରୋନାଭାଇରସ ଚିହ୍ନଟ କରାଯାଇନାହିଁ। କିନ୍ତୁ ୩ ଜଣ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

Comments are closed.