କମୁଛି ‘ଅମ୍ଫାନ୍‌’ପ୍ରକୋପ: ଆଉ ୧୨ ଘଣ୍ଟା ବିପଦ

- ୨୦ ଅପରାହ୍ନରେ ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁବ - ପବନର ବେଗ ଘଣ୍ଟା ପ୍ରତି ୧୮୫ କିମିରୁ ୨୦୦ କିମି - ୪ରୁ ୬ ମିଟର ଉଚ୍ଚତାରେ ଜୁଆର ମାଡ଼ି ଆସିପାରେ

Edited by Papu Mohanty

ଭୁବନେଶ୍ୱର : May 19:ଅତି ଭୟଙ୍କର ରୂପ ଧାରଣ କରିଥିବା ମହାବାତ୍ୟା ‘ଅମ୍ଫାନ’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର ୧୨ ଘଣ୍ଟା ବାକି । ଏବେ ଠାରୁ ଅବଗଣନା ଆରମ୍ଭ ହୋଇ ଯାଇଛି । ହେଲେ ମଙ୍ଗଳବାର ସକାଳରୁ ଅମ୍ଫାନ ତାର କରାଳ ରୂପ ଦେଖାଇ ସାରିଛି । ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ସହ ପବନ ବୋହିବା ଆରମ୍ଭ ହୋଇ ଯାଇଛି । ତେବେ ଲ୍ୟାଣ୍ଡଫଲ ସମୟରେ ମହାବାତ୍ୟାର ପ୍ରକୋପ ଯେଉଁଭଳି ହେବ ବୋଲି ଆକଳନ ହୋଇଥିଲା ତାହା ସାମାନ୍ୟ ହ୍ରାସ ପାଇଛି । ‘ସୁପର ସାଇକ୍ଲୋନ୍‌୍‌’ରୁ ‘ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନ୍‌’କୁ ଖସି ଆସିଛି । ତେଣୁ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମିରୁ ୨୦୦ କିମି ମଧ୍ୟରେ ରହିବ । ସ୍ଥଳଭାଗ ଆଡ଼କୁ ୪ରୁ ୬ ମିଟର ଉଚ୍ଚତାରେ ସାମୁଦ୍ରିକ ଜୁଆର ମାଡ଼ି ଆସିପାରେ ବୋଲି ପୂର୍ବନୁମାନ କରାଯାଇଛି ।
ବିଶାଖାପାଟଣା ସ୍ଥିତ ଡୋପଲର୍‌ ରାଡାର ରିପୋର୍ଟ ଆଧାରରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦକ୍ଷିଣ ପାଶ୍ୱର୍ରେ ରହିଛି । ଉତ୍ତର-ପୂର୍ବ ଦିଗକୁ ଗତି ଅତି ଭୟଙ୍କର ହୋଇଛି । ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି । ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୨୦୦କିମିରୁ ୨୪୦ରୁ ମଧ୍ୟରେ ରହିଛି । ହେଲେ ପ୍ରକୋପ ପୂର୍ବାପେକ୍ଷା ସାମାନ୍ୟ କମିଛି । ବିଳମ୍ବିତ ରାତ୍ରୀ ସୁଦ୍ଧା ଅମ୍ଫାନ ପାରାଦୀପ ଠାରୁ ଦକ୍ଷିଣ ଦିଗକୁ ପ୍ରାୟ ୩୨୦ କିମି ଦୂରରେ ରହିଛି । ଦୀଘା ଠାରୁ ୩୬୦ କିମି ଏବଂ ବାଙ୍ଗଲାଦେଶର ଖେପୁରା ଠାରୁ ପ୍ରାୟ ୪୮୦ କିମି ଦୂରରେ ରହିଛି ।
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଅମ୍ଫାନ୍‌ ୨୦ ତାରିଖ ସଂନ୍ଧ୍ୟାରେ ‘ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନ୍‌’ ବା ଅତି-ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହାତିଆ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ । ପବନର ବେଗ ଘଣ୍ଟା ପ୍ରତି ୧୮୫ ରୁ ୧୮୫ କିମି ରହିବ । ହେଲେ ତାହା ବଢି ପବନର ବେଗ ଘଣ୍ଟା ପ୍ରତି ୨୧୦ କିମି ହେବାର ସମ୍ଭାବନା ରହିଛି । ସ୍ଥଳଭାଗ ଆଡ଼କୁ ମହାବାତ୍ୟା ପ୍ରଭାବରେ ୪ରୁ ୬ ମିଟର ଉଚ୍ଚତାରେ ଜୁଆର ମାଡ଼ି ଆସିପାରେ ।
ଅମ୍ଫାନର ପ୍ରଭାବରେ ଉପକୂଳ ଉତ୍ତର ଓଡ଼ିଶାର ପାଞ୍ଚ ଜିଲ୍ଲା ବ୍ୟାପକ କ୍ଷୟକ୍ଷତି ହେବ । ବିଶେଷକରି ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା ଗୁଡ଼ିକୁ ପ୍ରଭାବିତ ହେବ । ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୯୫ କିମି ଓ ଗଷ୍ଟିଙ୍ଗର ବେଗ ୧୧୦ କିମି ପର୍ଯ୍ୟନ୍ତ ରହିବ । ଗଞ୍ଜାମ ଠାରୁ ପୁରୀ ପର୍ଯ୍ୟନ୍ତ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ୨୪ ପ୍ରଗଣା ଆଦି ଜିଲ୍ଲାରେ ପ୍ରଭୂତ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ ।

Comments are closed.