କଂଗ୍ରେସ ଭବନ ଗଣ୍ଡଗୋଳ; ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌

0

ଭୁବନେଶ୍ୱର : ଜୁନ ୨୯:ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ସ୍ମୃତିରଞ୍ଜନ ଲେଙ୍କାଙ୍କ ଦାୟିତ୍ୱ ଗ୍ରହଣ ଦିନ କଂଗ୍ରେସ ଭବନରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ୫-୬ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ରଞ୍ଜୀବ ବିଶ୍ୱାଳ । ରଥଯାତ୍ରା ଦିନ କଂଗ୍ରେସ ଭବନରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳର ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ସେହି କମିଟିର ବୈଠକ ସୋମବାର ଅନୁଷ୍ଠିତ ହୋଇଛି । ବୈଠକ ପରେ କମିଟି ୬ଜଣଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିଛି । କମିଟିର ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ କହିଛନ୍ତି ଗଣ୍ଡଗୋଳ ଭିଆଇଥିବା ୫-୬ଜଣ ଯୁବନେତା ଚିହ୍ନଟ ହୋଇଛନ୍ତି । ଉକ୍ତ ଯୁବନେତାମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିରପେକ୍ଷ ଭାବେ ସମସ୍ତ ସଦସ୍ୟ ସହମତ ହୋଇଛି । କଂଗ୍ରେସରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । କମିଟିରେ ଶ୍ରୀ ବିଶ୍ୱାଳଙ୍କ ବ୍ୟତୀତ କଂଗ୍ରେସ ନେତା ମାନସ ଚୌଧୁରୀ, ସଂଗ୍ରାମ ଜେନା, ବିଶ୍ୱ ଦାସ ଓ ଶୁଭଶ୍ରୀ ପଣ୍ଡା ସାମିଲ ଅଛନ୍ତି ।

Leave A Reply

Your email address will not be published.