ଓଡ଼ିଶା ଫେରିଲେଣି ସାଢେ ୪ ଲକ୍ଷ ପ୍ରବାସୀ: ଟ୍ରେନ୍‌ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସାଢେ ୫କୋଟି

କଟକ(ସ.ବୁ୍ୟ): ଜୁନ ୧୩:ଓଡିଶାକୁ ଆସୁଥିବା ପ୍ରବାସୀ ଏବଂ ଓଡିଶାରୁ ଯାଉଥିବା ପ୍ରବାସୀ ଉଭୟଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ନହୁଏ ତାହାକୁ ଦୃଷ୍ଟି ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଇତିମଧ୍ୟରେ ଓଡିଶାକୁ ଟ୍ରେନ୍‌, ବସ୍‌ ଏବଂ ଅନ୍ୟାନ୍ୟ ଗାଡି ଦ୍ୱାରା ସାଢେ ୪ ଲକ୍ଷ ପ୍ରବାସୀ ଫେରି ଆସିଛନ୍ତି । କେବଳ ଟ୍ରେନ୍‌ରେ ଆସୁଥିବା ପ୍ରବାସୀଙ୍କ ଯାତାୟତ ଖର୍ଚ୍ଚ ଲାଗି ରାଜ୍ୟ ସରକାର ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ସାଢେ ୫ କୋଟି ଟଙ୍କା ଦାଖଲ କରିଛନ୍ତି ବୋଲି ହାଇକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କ ଶ୍ରମ ଏବଂ ଇଏସ୍‌ଆଇ ବିଭାଗ ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାକୁ ଫେରୁଥିବା ପ୍ରବାସୀ ଏବଂ ଓଡିଶାରେ ଥିବା ପ୍ରବାସୀ ଯେପରି କୌଣସି ସମସ୍ୟାର ସାମ୍ନା ନକରନ୍ତି ସେଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ହଠାତ୍‌ ଲକ୍‌ଡାଉନ୍‌ ହୋଇଯିବା ଫଳରେ ଯେଉଁ ଶ୍ରମିକମାନେ ଓଡିଶାର ବିଭିନ୍ନ ସ୍ଥାନରେ ରହି ଯାଇଥିଲେ ସେମାନଙ୍କ ଖାଦ୍ୟ, ରହିବା ଆଦିର ବ୍ୟବସ୍ଥା କରିବା ଲାଗି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଛୋଟ ପିଲାମାନଙ୍କୁ କ୍ଷୀର, ବଡମାନଙ୍କ ଲାଗି ଖାଦ୍ୟପେୟ, ଏପରିକି ଖାଇବା ଲାଗି ବାସନ ଆଦି ଯୋଗାଇ ଦିଆଯାଇଥିଲା। ଓଡିଶା ଭିତରେ ଥିିବା ପ୍ରବାସୀଙ୍କ ପାଇଁ ‘ଶ୍ରମିକ ସହାୟତା କଲ୍‌ ସେର’ ଖୋଲାଯାଇଥିଲା। ଯେଉଁଥିରେ ଏକ ଟୋଲ୍‌ ଫ୍ରି’ ନମ୍ବର ଦିଆଯାଇଥିଲା। ଏହି ଟୋଲ୍‌ ଫ୍ରି’ ନମ୍ବରକୁ ୪୦୦୦ ଶ୍ରମିକଙ୍କ କଲ୍‌ ଆସିଥିଲା। ଏହିସବୁ ଶ୍ରମିକଙ୍କ ସମସ୍ୟା ସମାଧାନ କରାଯାଇଥିଲା। ଆଉ ଏକ ଅନ୍‌ଲାଇନ୍‌ ଗ୍ରିଭାନ୍ସ ରିଡ୍ରେସାଲ୍‌ ପୋର୍ଟାଲ ମଧ୍ୟ ଖୋଲାଯାଇଥିଲା। ସେହିପରି ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଗୃହ ବିଭାଗରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଥିଲା। ଏହି ହେଲ୍‌ପ୍‌ ସେର ଗୁଡିକ ଚଲାଇବା ଲାଗି ଏକ ଷ୍ଟାଣ୍ଡାର୍ଡ ପରେଟିଂ ସେର(ଏସ୍‌ପିପି) କରାଯାଇଥିଲା। ଓଡିଶାରେ ଥିବା ଅନ୍ୟ ରାଜ୍ୟର ୮୯ ହଜାର ୫୯୬ ପ୍ରବାସୀଙ୍କୁ ୨,୬୧୦ଟି ରିଲିଫ୍‌ କ୍ୟାମ୍ପରେ ଥଇଥାନ କରାଯାଇଛି । ଏଥିମଧ୍ୟରୁ ୫୧ ହଜାର ପ୍ରବାସୀଙ୍କୁ ରାଜ୍ୟ ସରକାର ଥଇଥାନ କରିଥିଲାବେଳେ ବାକି ୩୮ ହଜାର ୫୯୬ ଜଣ ପ୍ରବାସୀଙ୍କୁ ସେମାନଙ୍କ ନିଯୁକ୍ତି ସଂସ୍ଥା ବା ଶିଳ୍ପ ସଂସ୍ଥା ଥଇଥାନ କରିଛି । ଏହି ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଓଡିଶା ପୁଲିସ୍‌କୁ ମଧ୍ୟ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇଛି । ଯେଉଁ ଅର୍ଥରେ ଓଡିଶା ଭିତର ଦେଇ ଯାଉଥିବା ପ୍ରବାସୀଙ୍କୁ ଯାତାୟତରେ ସାହାଯ୍ୟ ପାଇଁ ଖର୍ଚ୍ଚ କରାଯାଇଛି । ମେ’ ୧୩ ତାରିଖରୁ ଓଡିଶା ପୁଲିସ୍‌ ପ୍ରବାସୀମାନଙ୍କୁ ୫୨୨ ବସ୍‌ ଟ୍ରିପ୍‌ ଯୋଗେ ୨୪ ହଜାର ୫୪୯ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ବର୍ଡର ନିକଟରେ ପହଞ୍ଚାଇଛି । ଓଏସ୍‌ଆରଟିସି ଓଡିଶା ପୁଲିସ୍‌କୁ ଏହି ବସ୍‌ ଯୋଗାଇ ଦେଇଛି । କେବଳ ଓଡିଶା ଭିତରେ ନୁହେଁ, ମଣିପୁର, ମିଜୋରାମ, ନାଗାଲାଣ୍ଡ ରାଜ୍ୟକୁ ମଧ୍ୟ ସେମାନଙ୍କର ନାଗରିକମାନଙ୍କୁ ବସ୍‌ ଯୋଗେ ପଠାଇବା ଦିଗରେ ଓଡିଶା ସରକାର କାର୍ଯ୍ୟ କରିଛନ୍ତି । ଆହୁରିମଧ୍ୟ ୫୪ ହଜାର ୮୪୪ ଜଣ ବିଭିନ୍ନ ରାଜ୍ୟର ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିବାକୁ ଚାହିଁବାରୁ ସେମାନଙ୍କ ଯାତାୟାତର ବ୍ୟବସ୍ଥା କରାଯାଇଥିଲା। ଓଡିଶାକୁ ଗତ ୨ ତାରିଖ ସୁଦ୍ଧା ଟ୍ରେନ୍‌, ବସ୍‌ ଏବଂ ବିଭିନ୍ନ ଗାଡି ଯୋଗେ ୪ ଲକ୍ଷ ୬୨ହଜାର ୨୯୦ ଜଣ ପ୍ରବାସୀ ଫେରିଛନ୍ତି । ବସ୍‌ ଯୋଗେ ୧ ଲକ୍ଷ ୪୫ ହଜାର ୭୬୮ ଜଣ ପ୍ରବାସୀ ଫେରି ଆସିଥିଲାବେଳେ ବିଭିନ୍ନ ଗାଡି ଦ୍ୱାରା ୩୭ ହଜାର ୮୦୯ ଜଣ ପ୍ରବାସୀ ରାଜ୍ୟକୁ ଫେରି ଆସିଛନ୍ତି । ସେହିପରି ୧୯୧ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଜରିଆରେ ୨ ଲକ୍ଷ ୭୮ ହଜାର ୭୧୩ ଜଣ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରି ଆସିଛନ୍ତି । ଏହି ଟ୍ରେନ୍‌ ଯାତ୍ରୀଙ୍କ ଭଡା ପାଇଁ ଓଡିଶା ସରକାରଙ୍କୁ ସାଢେ ୫ କୋଟି ରେଳବାଇ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡିଛି । ଏହାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରଦାନ କରାଯାଇଛି । ତେବେ ପ୍ରବାସୀମାନେ ଫେରିବା ବେଳେ କେତେକ ସ୍ଥାନରେ ଦୁର୍ଘଟଣାର ସାମ୍ନା କରିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଏଥିରେ କେତେକ ପ୍ରବାସୀଙ୍କ ଜୀବନ ଚାଲିଯାଇଛି ତ’ ଆଉ କିଛି ପ୍ରବାସୀ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରବାସୀଙ୍କ ସମସ୍ୟାକୁ ନେଇ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲା ଉପରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ଉପରୋକ୍ତ ସୂଚନା ଦେଇଛନ୍ତି ।

Comments are closed.