ଓଡ଼ିଶାରେ ପୁଞ୍ଜିନିବେଶ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମିତ୍ତଲଙ୍କ ଆଲୋଚନା

ପ୍ରଥମ ପର୍ଯ୍ୟାୟରେ ୨ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ

ଭୁବନେଶ୍ୱର (ସବୁ୍ୟ):ଜୁନ ୧୩: ଆର୍ସେଲର ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଆଜି ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଲଣ୍ଡନ୍‌ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଓଡ଼ିଶାରେ ପୁଞ୍ଜିନିବେଶ ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସରକାର ଯେପରି ଦକ୍ଷତାର ସହ କୋଭିଡ-୧୯ର ପରିଚାଳନା କରୁଛନ୍ତି ସେଥିପାଇଁ ଶ୍ରୀ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ-୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶିଳ୍ପ ଜଗତକୁ ସହଯୋଗ ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ଉଦ୍ୟମ ପାଇଁ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନିକଟରେ ତାଙ୍କ କମ୍ପାନୀ ପକ୍ଷରୁ ନିଲାମ୍‌ରେ ନିଆଯାଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ଯେପରି ସ୍ୱଚ୍ଛତାର ସହ ସଂପାଦିତ ହେଲା ତାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ଶ୍ରୀ ମିତ୍ତଲ କହିଥିଲେ । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ୍‌ ଗତ ଡିସେମ୍ବର ମାସରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ୫୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପ, ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିଛନ୍ତି । ଏହା ଦ୍ୱାରା ଭାରତରେ ୭ ମିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହୋଇପାରିଛି ଯାହାକି ଭାରତରେ ଅନ୍ୟତମ ବୃହତ୍ତମ ବିଦେଶୀ ପୁଞ୍ଜି ବିନିଯୋଗ ଅଟେ । ଆର୍ସେଲର ମିତ୍ତଲ ଓ ନିପନ୍‌ ଷ୍ଟିଲ ପାରାଦୀପରେ ପେଲେଟ୍‌ ପ୍ଲାଣ୍ଟ କେନ୍ଦୁଝରର ଡାବୁନିରେ ବେନିଫିକେସନ୍‌ ପ୍ଲାଣ୍ଟ ସହିତ ସାଗାସାହି ଓ ଠାକୁରାଣୀ ଖଣିର ପରିଚାଳନା କରୁଛନ୍ତି । ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଧିକ ନିଯୁକ୍ତି ସଅଷ୍ଟି ହେବା ସହିତ ରାଜ୍ୟ ଅଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିାଲେ । ସୂଚନା ଯୋଗ୍ୟ ଯେ, ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଦ୍ୱାରା ପରିଚାଳିତ ପାରାଦ୍ୱୀପର ପେଲେଟ୍‌ ପ୍ଲାଣ୍ଟର କ୍ଷମତା ୬ ଏମ୍‌ଟିପିଏ, ୧୨ ଏମ୍‌ଟିପିଏକୁ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଥିବାବେଳେ ଡାବୁନାର ବେନେଫିକେସନ ପ୍ଲାଣ୍ଟ କ୍ଷେମତା ୫ଏମ୍‌ଟିପିଏ ରୁ ୧୬ ଏମ୍‌ଟିପିଏକୁ ସଂପ୍ରସାରିତ କରାଯିବ । ଏସବୁ ପ୍ରକଳ୍ପ ବାବଦରେ ପ୍ରଥମ ପର୍ଯ୍ୟାୟରେ ଆର୍ସେଲର ମିତ୍ତଲ ଓ ଦୀପନ ଷ୍ଟିଲ ଓଡ଼ିଶାରେ ୨ହଜାର କୋଟି ଟଙ୍କା ବିନିଯୋଗ କରିବ ।

Comments are closed.