ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ; ମେଘାଚ୍ଛନ୍ନ ଥବାରୁ ରାଜଧାନୀରେ ଦୃଶ୍ୟ ହେଲାନି

0

ଭୁବନେଶ୍ୱର : ଜୁନ ୨୧:ଓଡିଶା ସମେତ ସମଗ୍ର ଭାରତରରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ସମ୍ପୂର୍ଣ୍ଣ ବଳୟ ସୂର୍ଯ୍ୟପରାଗ ଦେଖାଦେଇଛି । କିନ୍ତୁ ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ପୂର୍ବାହ@ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି ।
ରାଜଧାନୀରେ ଆକାଶ ମେଘାଚ୍ଛନ୍ନ ଥିବାରୁ ସହରବାସୀ ଏହାକୁ ସଠିକ୍‌ ଭାବେ ଦେଖି ପାରିନାହାନ୍ତି । ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ଏହା ପରିଲକ୍ଷିତ ହୋଇଥିଲା । ଆଂଶିକ ସୂର୍ଯ୍ୟପରାଗ କିଭଳି ଦେଖା ଯାଉଥିଲା ତାହା ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଫେସବୁକ୍‌ ପେଜରେ ଉପଲବ୍ଧ ରହିଛି । କାରଣ ପରାଗ ସମୟରେ କେନ୍ଦ୍ରର ଫେସବୁକ୍‌ ପେଜରେ ଲାଇଭ୍‌ କରାଯାଉଥିଲା । ଦେଶର ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କ ରଙ୍ଗ ବଦଳିଛି । କେଉଁଠି ଧଳା ରଙ୍ଗର ସୂର୍ଯ୍ୟ ତ ଆଉ କେଉଁଠି ସବୁଜ ପୁଣି ଲାଲ୍‌ ରଙ୍ଗରେ ଦେଖିବାକୁ ମିଳିଥିଲା । ବିଦେଶରେ ମଧ୍ୟ ସୂର୍ଯ୍ୟପରାଗ ଦେଖାଯାଇଛି ।
ଓଡ଼ିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିବା ବେଳେ ସକାଳ ପ୍ରାୟ ୧୦ ଟା ୩୮ ରେ ସୂର୍ଯ୍ୟପରାଗ ସ୍ପର୍ଶ କରିଥିଲା । ଅପରାହ୍ନ ୨ଟା ୯ ରେ ଏହା ସର୍ବମୋକ୍ଷ ହୋଇଥିଲା । ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହୋଇଥିଲା । ଏହା ପରେ ପୁଣିଥରେ ୨୦୨୦ ଡିସେମ୍ବର ୧୪ରେ ସୂର୍ଯେ୍ୟାପରାଗ ହେବ । କିନ୍ତୁ ଏହା ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ । ସେହିପରି ଜୁଲାଇ ୫ ତାରିଖ ଓ ନଭେମ୍ବର ୩୦ରେ ମଧ୍ୟ ଉପଛାୟା ଚନ୍ଦ୍ର ଗ୍ରହଣ ହେବ । ଏହା ବି ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ ।

Leave A Reply

Your email address will not be published.