ଓଡ଼ିଶାକୁ ମୌସୁମୀ ଆଉ ତିନିଦିନ: ୨୪ ଘଣ୍ଟାରେ ଲଘୁଚାପ

୧୦ରୁ ପ୍ରବଳ ବର୍ଷିବ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ସର୍ତକତା

ଭୁବନେଶ୍ୱର : ଜୁନ ୮: ପାଗ ଅନୁକୂଳ ଆଉ ମାତ୍ର ତନିଦିନ। ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ । ଏଥିପାଇଁ ସହାୟକ ହେବ ଲଘୁଚାପ । ସପ୍ତାହ ଭିତରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ । ଏହାର ପ୍ରଭାବରେ ୧୦ରୁ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ବିଭାଗର କହିବା ଅନୁସାରେ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ । ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ବୁଧବାର ସୁଦ୍ଧା ଅଧିକ ଘନୀଭୂତ ହେବା ସହ ଏହାର ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ପ୍ରଭାବରେ ୧୦ ତାରିଖ ବେଳକୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ମତ୍ସ୍ୟଜୀବୀଙ୍କୁ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କୁହାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କୁହାଯାଇଛି ।
ଲଘୁଚାପ ପ୍ରଭାବରେ ୯ତାରିଖ ଠାରୁ ବର୍ଷା ଆରମ୍ଭ ହୋଇଯିବ । ୯ ତାରିଖରେ ଉପକୂଳ ଓଡ଼ିଶାରେ ସ୍ୱଳରୁ ମଧ୍ୟମ ବର୍ଷା ହେବାର ମମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଗଜପତି, ଖୋର୍ଦ୍ଧା ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ତେବେ ୧୦ ତାରିଖ ପାଇଁ ସର୍ତକ ସୂଚନା ଜାରି ହୋଇଛି । ବୁଧବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୧ ତାରିଖରେ କୋରାପୁଟ, ମାଲକାନଗିିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

Comments are closed.