ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ ସମୀକ୍ଷା କଲେ କ୍ୟାବିନେଟ ସଚିବ

0

ଭୁବନେଶ୍ୱର: ଜୁଲାଇ ୨୫: ଦେଶର କେତେକ ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ଏବଂ କେତେକ ଅଞ୍ଚଳ କୋଭିଡ଼-19 ପରିଚାଳନାରେ ଉଦ୍‌ବେଗର କାରଣ ପାଲଟିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକାରୀ ରଣନୀତିକୁ ସଫଳ ଭାବେ ପରିଚାଳନା ଦ୍ୱାରା ଏହି ମହାମାରୀକୁ କିଭଳି ଭାବେ ନିୟନ୍ତ୍ରଣ ଓ ପରିଚାଳନା କରାଯାଇ ପାରିବ ସେ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ୟାବିନେଟ୍‌ ସିଚିବ ଅଧ୍ୟକ୍ଷତା କରିଥିବା ବେଳେ ଦେଶରେ ଏବେ ସର୍ବାଧିକ ଭାବେ କରୋନା ସଂକ୍ରମଣ ଘଟି ଚାଲିଥିବା ନଅଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବମାନେ ଯୋଗ ଦେଇଥିଲେ । ଯେଉଁ ନଅଟି ରାଜ୍ୟ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ଆସାମ । ନିକଟ ଅତୀତରେ ଏହିସବୁ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଚାଲିଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତି ଆପଣାଇବାକୁ ରାଜ୍ୟମାନଙ୍କୁ କ୍ୟାବିନେଟ୍‌ ସଚିବ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରତିଦିନ କରୋନା ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ସହ ଆବଦ୍ଧାଞ୍ଚଳ ଉପରେ ବିଶେଷ ଧ୍ୟାନ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ରାଜ୍ୟର କେତେକ ଅଞ୍ଚଳରେ ଅଧିକ କରୋନା ପଜିଟିଭ୍‌ ବାହାରିବା ସହ ତାହା ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି ସେଠାରେ ସଂକ୍ରମଣ କିଭଳି ଭାବେ ସଂପ୍ରସାରିତ ନହେବ ସେଥିପାଇଁ ସେଗୁଡ଼ିକର ଚିହ୍ନଟ କରିବା ଏବଂ ତାହାକୁ ଆବଦ୍ଧ କରାଯିବା ଅତ୍ୟନ୍ତ ଜରୁରି ବୋଲି ସେ ମତ ପୋଷଣ କରିଥିଲେ । ଏହାଦ୍ୱାରା ରୋଗ ସଂକ୍ରମଣକୁ ସଫଳତାର ସହ ରୋକାଯାଇ ପାରିବ ବୋଲି ସେ ସୂଚାଇଥିଲେ ।

କ୍ୟାବିନେଟ ସଚିବ ଗୁରୁତ୍ୱ ଆରୋପ କରି କହିଲେ ଯେ, କଣ୍ଟେନମେଣ୍ଟ ଜୋନର ତୁରନ୍ତ ଏବଂ ଉପଯୁକ୍ତ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ଏବଂ ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀକୁ ବିଧିବଦ୍ଧ ଭାବେ ପାଳନ କରାଯିବା ବାଂଛନୀୟ । ଏଥିସହ ସଂସର୍ଗର ସୂତ୍ରକୁ ଚିହ୍ନଟ କରିବା ଏବଂ ଘରକୁ ଘର ବୁଲି ସକ୍ରିୟ ମାମଲା ଖୋଜି ବାହାର କରିବା ଯାହାକି କଣ୍ଟେନମେଣ୍ଟ ଜୋନ ଭିତରେ ହୋଇଥିବା ତାହା କରାଗଲେ ଏହି ସଂକ୍ରମଣର ଚେନକୁ ସଫଳତାର ସହ ଚ୍ଛିନ୍ନ କରାଯାଇପାରିବ । ଏହା ବ୍ୟତୀତ ଆବଦ୍ଧାଞ୍ଚଳ ବାହାରେ ଥିବା ବଫର ଜୋନକୁ ମଧ୍ୟ ଚିହ୍ନଟ କରାଯିବା ଦରକାର । ସେହିଭଳି ଏସଏଆରଆଇ/ ଆଇଏଲଆଇ କେଶ୍‌ଗୁଡ଼ିକ ଉପରେ ନିରବଚ୍ଛିନ୍ନ ଭାବେ ନଜର ରଖାଯିବା ଉଚିତ ବୋଲି କ୍ୟାବିନେଟ ସଚିବ ପରାମର୍ଶ ଦେଇଛନ୍ତି ।

ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସ୍ପଷ୍ଟ ରୂପେ ବୃଦ୍ଧି କରିବା ଆବଶ୍ୟକ । ଏଭଳି ଭିତ୍ତିଭୂମି ମଧ୍ୟରେ ହସପିଟାଲରେ ଆବଶ୍ୟକ ସଂଖ୍ୟକ ବେଡ଼, ଅକ୍ସିଜେନ୍‌, ଏବଂ ଭେଣ୍ଟିଲେଟର ଉପଲବ୍ଧ ରହିବା ଯାହାକି ରାଜ୍ୟର ସବୁ ସ୍ଥାନରେ ହୋଇଥିବା ବାଂଛନୀୟ । ସେହିଭଳି ଚିକିତ୍ସାଜନିତ ପ୍ରୋଟୋକଲ୍‌କୁ ବିଧିବଦ୍ଧ ଭାବେ ପ୍ରବର୍ତ୍ତନ କରାଯିବା ଉଚିତ । ଏହାଦ୍ୱାରା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଣକୁ ସୁନିଶ୍ଚିତ କରାଯାଇପାରିବ ଏବଂ ନିରବଚ୍ଛିନ୍ନ ଭାବେ ରୋଗୀମାନଙ୍କ ପରିଚାଳନାକୁ ସୁସଂଗତ କରାଯାଇପାରିବ ।
ଅନ୍ୟ ପକ୍ଷରେ ଆମ୍ବୁଲାନ୍ସ ପରିଚାଳନାକୁ ସକ୍ରିୟ କରାଯାଇ ଯେଭଳି ପ୍ରତ୍ୟେକ କଲକୁ ଗ୍ରହଣ କରାଯିବା ସହ ସେବା ଯୋଗାଣ ସୁନିଶ୍ଚିତ ହେବ ଓ ଜିରୋ ପ୍ରତ୍ୟାଖ୍ୟାନ ହାର ହାସଲ କରାଯିବ ତାହା ଉପରେ ମଧ୍ୟ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । କ୍ୟାବିନେଟ୍‌ ସଚିବ ଏହି ପ୍ରସଙ୍ଗ ଉପରେ ଆହୁରି ପ୍ରାଧାନ୍ୟ ଦେଇଥିଲେ ଯେ ରୋଗୀ ମୃତ୍ୟୁହାର ଯେଭଳି ହ୍ରାସ କରାଯିବ ସେଥି ପ୍ରତି ରାଜ୍ୟ ସରକାରମାନେ ସଦାବେଳେ ସଚେତନ ରହିବା ଆବଶ୍ୟକ । ସେଥିପାଇଁ ହାଇ ରିସ୍କ ଜନସଂଖ୍ୟା ବିଶିଷ୍ଟ କ୍ଷେତ୍ରଗୁଡ଼ିକର ମ୍ୟାପିଂ କରାଯିବା ଦରକାର, ବିଶେଷ କରି ସେହିସବୁ ଅଞ୍ଚଳରେ ରହୁଥିବା ବୟସ୍କ ବ୍ୟକ୍ତି ଏବଂ ଯେଉଁମାନଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ତାହା ଚିହ୍ନଟ କରାଯିବା ଉଚିତ ।

ରାଜ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରି କ୍ୟାବିନେଟ୍‌ ସଚିବ ସୂଚାଇଥିଲେ ଯେ ଅତି ପ୍ରାରମ୍ଭିକ ଅବସ୍ଥାରୁ ରୋଗୀଙ୍କ ଚିହ୍ନଟ ଏବଂ ସମୟୋଚିତ ଭାବେ ଚିକିତ୍ସା ପରିଚାଳନା ଦ୍ୱାରା କୋଭିଡ଼-19ର ସଂପ୍ରସାରଣକୁ ରୋକାଯାଇପାରିବ । (PIB)

Leave A Reply

Your email address will not be published.