ଉଲିବୁରୁ ଖଣି ଦୁର୍ନୀତି ମାମଲା; ଷଷ୍ଠ ଥର ଲାଗି ଦୀପକ ଗୁପ୍ତାଙ୍କ ଜାମିନ୍‌ ଆବେଦନ

ରିପୋର୍ଟ: ପ୍ରଫୁଲ୍ଲ ମହାନ୍ତି
କଟକ : ମେ ୨୮: କେନ୍ଦୁଝରର ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଷଷ୍ଠ ଥର ଲାଗି ହାଇକୋର୍ଟରୁ ଜାମିନ୍‌ ପାଇଁ ଆବେଦନ କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କ ଇଜିଲାସରେ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଏନ୍‌.ସି. ପାଣିଗ୍ରାହୀ ଜାମିନ୍‌କୁ ବିରୋଧ କରି ଯୁକ୍ତି ଉପସ୍ଥାପନ କରିଥିଲେ ।ଅଦାଲତ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାରକୁ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦୀପକ ଗୁପ୍ତାଙ୍କ ନାମରେ ଖଣି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଭିଜିଲାନ୍ସ ପୁଲିସ୍‌ ଦୀପକ ଗପ୍ତାଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା। ଏଥିରେ ଦୀପକ ଗୁପ୍ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହି ମାମଲାରେ ଦୀପକ ଗୁପ୍ତା ହାଇକୋର୍ଟରେ ୫ ଥର ଜାମିନ୍‌ ଆବେଦନ କରିଥିଲାବେଳେ ସୁପ୍ରିମ୍‌କୋର୍ଟରେ ୨ ଥର ଜାମିନ୍‌ ଆବେଦନ କରିଥିଲେ । ସବୁଥର ଜାମିନ୍‌ ଆବେଦନ ଖାରଜ ହୋଇଥିଲା। ଷଷ୍ଠ ଥର ଲାଗି ଦୀପକ ଗୁପ୍ତା ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶ୍ରୀ ପାଣିଗ୍ରାହୀଙ୍କୁ ଏହି ମାମଲା ପରିଚାଳନାରେ ଆଇନଜୀବୀ ସାଗର ରଞ୍ଜନ ପାଣିଗ୍ରାହୀ ସହଯୋଗ କରିଥିଲେ ।

Comments are closed.