ଉତ୍କଟ ବେକାରୀ ସମସ୍ୟା ପାଇଁ ବଢ଼ୁଛି ଆତ୍ମହତ୍ୟା

ପ୍ରତି ୨ ଘଣ୍ଟାରେ ଆତ୍ମହତ୍ୟା କରୁଛନ୍ତି ୩ ବେକାରୀ

ନୂଆଦିଲ୍ଲୀ: ଦେଶର ଜିଡିପି ହ୍ରାସ ହେବା ସହିତ ବେକାରୀ ସମସ୍ୟା ଦେଶ ପାଇଁ ଚିନ୍ତା ବଢ଼ାଇଲାଣି । ମୋଦି ସରକାରଙ୍କର ନିଯୁ୍କ୍ତି ପ୍ରତିଶ୍ରୁତି ସାରା ଦେଶରେ ସମାଲୋଚିତ ହେଉଥିବା ବେଳେ ଏବେ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ାଇଛି । ଏନ୍ସିଆର୍ବିର ତଥ୍ୟ ଅନୁଯାୟୀ, ୨୦୧୮ରେ ୧୨,୯୩୬ ଜଣ ବେରୋଜଗାର କାରଣରୁ ଆତ୍ମହତ୍ୟା କରିଥିଲେ । ଏପରିକି ୨୦୧୮ରେ ଆତ୍ମହତ୍ୟା ମାମଲାରେ ୩.୬% ବୃଦ୍ଧି ହୋଇଥିବା ରିପୋର୍ଟରେ କୁହାଯାଇଛି । ୨୦୧୭ ମସିହାରେ ୧ଲକ୍ଷ୨୯ ହଜାର ୮୮୭ ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୮ରେ ୧ଲକ୍ଷ ୩୪ ହଜାର ୫୧୬ଜଣ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ପରିସଂଖ୍ୟାନ ତଥ୍ୟ ଅନୁଯାୟୀ, ୨୦୧୮ରେ ପ୍ରତିଦିନ ୩୫ ଜଣ ଓ ୨୦୧୭ ମସିହାରେ ୩୪ ଜଣ ବେରୋଜଗାର କାରଣରୁ ଆତ୍ମହତ୍ୟା କରିଥିଲେ । ବେରୋଜଗାର ଆତ୍ମହତ୍ୟାକୁ ନେଇ ଜାରି ସରକାରୀ ସଂଖ୍ୟାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ଶ୍ରେଣୀରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୮୨% ପୁରୁଷ ଅଛନ୍ତି । ଆତ୍ମହତ୍ୟାର ସର୍ବାଧିକ ମାମଲା ଦେଶର ସବୁଠୁ ଅଧିକ ଶିକ୍ଷିତ ବ୍ୟକ୍ତି ରହୁଥିବା କେରଳରେ ଦେଖିବାକୁ ମିଳିଛି । ସେହିପରି ତାମିଲନାଡୁରେ ୧୫୭୯, ମହାରାଷ୍ଟ୍ରରେ ୧୨୬୦, କର୍ଣ୍ଣାଟକରେ ୧୦୯୪ ଏବଂ ଉତ୍ତରପ୍ରଦେଶରେ ୯୦୨ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଦର୍ଶାଯାଇଛି ।

Comments are closed.