ଉଜ୍ଜଳା ଲାଭାର୍ଥୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର; କରୋନା ସମୟରେ ଦେଶର ମା ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା

Edited by Papu Mohanty

ଭୁବନେଶ୍ୱର : May 16:କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମାଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ୧ ହଜାରରୁ ଉଦ୍ଧ୍ୱର୍ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଭିଡିଓ କନଫେରେନ୍ସିଂରେ ଓଡିଶା ରାଜ୍ୟ ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା ହିତାଧିକାରୀମାନଙ୍କ ସହ ଶ୍ରୀ ପ୍ରଧାନ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଆସିବା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତନ ଓ ବର୍ତମାନର ଘଡିସନ୍ଧିମୂହୁର୍ତରେ ଗ୍ୟାସ ଯୋଗାଣ ଉପରେ ଶ୍ରୀ ପ୍ରଧାନ କଥା ହୋଇଥିଲେ । ଓଡିଶାର ଅନୁଗୁଳ ଜିଲ୍ଲାର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ଓ ଅନ୍ୟ ଉଜ୍ଜଳା ହିତାଧିକାରୀମାନେ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ଯେ ପୂର୍ବରୁ ସେମାନେ କାଠ ଜାଳି ଚୂଲାରେ ରୋଷେଇ କରୁଥିଲେ । ଫଳରେ ସେମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଘରକୁ ଗ୍ୟାସ ଆସିବା ପରେ ସେମାନଙ୍କ କଷ୍ଟ ଲାଘବ ହୋଇପାରିଛି । କରୋନା ସମୟରେ ଘରେ ମାଗଣାରେ ଗ୍ୟାସ ପହଞ୍ଚିଥିବାରୁ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଗ୍ୟାସ ମନ୍ତ୍ରଣାଳୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁଗୁଳ ଜିଲ୍ଲାର ଉଜ୍ଜଳା ଲାଭାର୍ଥୀ ସନ୍ତୋଷୀ ମହାରଣାଙ୍କୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଡାଲି, ଗ୍ୟାସ, ଜନଧନରେ ଟଙ୍କା, କୃଷକ ସମ୍ମାନ ନିଧିରେ ଟଙ୍କା ମିଳିଛି କି ନାହିଁ ପଚାରିଥିଲେ । ଉତରରେ ସନ୍ତୋଷୀ ମହାରଣାଙ୍କ ପରିବାର ଏହି ସବୁର ଲାଭାର୍ଥୀ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କରୋନା ସମୟରେ ମଧ୍ୟ ଦେଶର ଗରିବ ମାଆ ମାନଙ୍କ ଘରେ ଗ୍ୟାସ ପହଁଚାଯିବା କାମକୁ ନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ବାର ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି । ବର୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୬.୨୮ କୋଟିରୁ ଉଦ୍ଧ୍ୱର୍ ଏଲପିଜି ସିଲିଣ୍ଡର ପ୍ରଧାନମନ୍ତ୍ରୀ ଉଜ୍ଜଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ।

Comments are closed.