ଇସ୍ଲାମାବାଦରେ ଭାରତୀୟ ଅଧିକାରୀ ନିଖୋଜ;ପାକିସ୍ତାନ ହାଇ କମିଶନ ମୁଖ୍ୟଙ୍କୁ ଡକାଇଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଜୁନ ୧୫:ଇସ୍ଲାମାବାଦରେ ଥିବା ଭାରତୀୟ ହାଇକମିଶନର ଦୁଇଜଣ କର୍ମଚାରୀ ଆଜି ସକାଳୁ ନିଖୋଜ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିପାରିନାହିଁ । ଘଟଣାକୁ ଗୁରୁତ୍ୱର ସହ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ମୁଖ୍ୟ ସୟଦ ହାଇଦର ଶାହାଙ୍କୁ ଡକାଇ ଏ ସଂପର୍କରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସୋମବାର ସକାଳ ସାଢେ ୮ଟା ବେଳେ ଏହି ଦୁଇ କର୍ମଚାରୀ ସରକାରୀ କାମରେ ବାହାରକୁ ଯାଇଥିବାବେଳେ ସେମାନେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିନଥିବା ଜଣାପଡିଥିଲା । ସେମାନେ ନିଖୋଜ ସଂପର୍କରେ ପାକିସ୍ତାନସ୍ଥିତ ଭାରତୀୟ ହାଇକମିଶନର ମୁଖପାତ୍ର ଅଖିଳେଶ ସିଂ ସୂଚନା ଦେଇଥିଲେ । ଏହା ଜଣାପଡ଼ିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଥିଲା । କିଛିଦିନ ତଳେ ଭାରତୀୟ ହାଇକମିଶନର କର୍ମଚାରୀଙ୍କୁ ସବୁବେଳେ ପିଛା କରାଯାଉଛି ଓ ଅସ୍ଥାୟୀ ହାଇକମିଶନର ଗୌରବ ଆଲୁଓ୍‌ାଲିଆଙ୍କ ବାସଭବନ ନିକଟରେ ଆଇଏସଆଇର ଲୋକ ଜଗିରହୁଥିବାନେଇ ରିପୋର୍ଟ ମିଳିଥିଲା । ଗତ ପ୍ରାୟ ମାସେ ତଳେ ଗୁପ୍ତଚରବୃର୍ତ୍ତି ଅଭିଯୋଗରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ଦୁଇ କର୍ମଚାରୀଙ୍କୁ ଭାରତ ସରକାର ଭାରତରୁ ନିର୍ବାସିତ କରିଥିଲେ ।

Comments are closed.