ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଅଗଷ୍ଟ ୭: ଚଳିତ ମାସ ୧୨ରୁ ଅଫଲାଇନ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଯୁକ୍ତ ଦୁଇ ଆଡମିସନକୁ ନେଇ କହିଛନ୍ତି-ଗତ ବର୍ଷ ଅଗଷ୍ଟ ୨୧ରୁ ସମଗ୍ର ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଅତି କମରେ ଏକ ସପ୍ତାହ ପୂର୍ବରୁ ଆଡମିସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରୟାସ ଜାରି ରହିଛି । ଏଥର ପ୍ରାୟ ୫୫ ହଜାର ସିଟ୍‌ ବୃଦ୍ଧି ପାଇଁ କଲେଜ ଆବେଦନ କରିଥିବାରୁ ରାଜ୍ୟର ଯୁକ୍ତ ଦୁଇ କଲେଜଗୁଡ଼ିକରେ ବିଭିନ୍ନ ଷ୍ଟ୍ରିମ ସିଟ୍‌ ଅଭାବ ରହିବ ନାହିଁ । ବିଜ୍ଞାନ ବିଷୟ ପାଇଁ ଲାବୋରେଟେରୀ ସମସ୍ୟା ହୋଇପାରେ । ଏଣୁ ଏହାର ଭିତ୍ତିଭୂମିର ଯାଞ୍ଚ ଚାଲିଛି ।
କରୋନା ମହାମାରୀ ସକାଶେ ଚଳିତ ବର୍ଷ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇନଥିଲା । ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ଏହାକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ରହିଥିଲେ । ସେମାନଙ୍କ ପାଇଁ ଆରମ୍ଭ ହୋଇଥିଲା ଅଫଲାଇନ ପରୀକ୍ଷା ।

Comments are closed.