ଆଶ୍ୱସ୍ତ କଲେ ସରକାର; ମହଜୁଦ ରହିଛି ଯଥେଷ୍ଟ ପରିମାଣର କରୋନା ଔଷଧ

0

ଭୁବନେଶ୍ୱର: ଜୁଲାଇ ୩୧: କରୋନା ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଯଥେଷ୍ଟ ପରିମାଣର କରୋନା ଔଷଧ ଓ ଅମ୍ଳଜାନ ଉପଲବ୍ଧ ରହିଥିବା କହିଛନ୍ତି ଏନ୍‌ଆର୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଗଂଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବି ଯଥେଷ୍ଟ ପରିମାଣର ବେଡ ରହିଥିବା ସେ କହିଛନ୍ତି । ଏହା ସହ ପ୍ଲାଜମା ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପ୍ଲାଜମା ଥେରାପି ମଧ୍ୟ ବେସ୍‌ କାମ କରୁଛି । ପ୍ଲାଜ୍‌ମା ନେଇଥିବା ୩୩ରୁ ୨୩ ଜଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିବା ସେ ପ୍ରକାଶ କରିଛନ୍ତି । ଶ୍ରୀମତୀ ପଣ୍ଡିତ କହିଛନ୍ତି କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ଟେଷ୍ଟିଂ ଅଧିକ ଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ରାଜ୍ୟର ୫୪ଟି ପରୀକ୍ଷାଗାରରେ କୋଭିଡ ଟେଷ୍ଟିଂ ଚାଲିଛି । ଆଣ୍ଟିଜେନ୍‌ ଟେଷ୍ଟିଂ ମଧ୍ୟ ବହୁମାତ୍ରାରେ ଚାଲିଛି । ଗଂଜାମରେ ଦିନକୁ ୧୫୦୦ରୁ ୨୦୦୦ ଟେଷ୍ଟିଂ କରାଯାଉଛି । କରୋନା ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟିଂ କରାନ୍ତୁ । ଭିନ୍ନ ସମୟରେ ଜଣେ ଲୋକର ଭିନ୍ନ ରିପୋର୍ଟ ଆସିପାରେ । ରାଜ୍ୟରେ କୋଭିଡ ଟେଷ୍ଟିଂ ସଠିକ ରୂପେ ଚାଲିଛି । ଶ୍ରୀମତୀ ପଣ୍ଡିତ କହିଛନ୍ତି, ଟେଷ୍ଟିଂର ପ୍ରଥମ ୧୦ ସପ୍ତାହରେ ୧ ଲକ୍ଷ କୋଭିଡ ପରୀକ୍ଷା ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ୧୦ ଦିନରେ ଏକ ଲକ୍ଷ କୋଭିଡ ପରୀକ୍ଷା କରାଯାଇଥିଲା । ସରକାର ଓ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମୟୂରଭଂଜ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଟେଷ୍ଟିଂ ହେଉଛି । ଗାଁ ଓ ସହରାଂଚଳରେ ଟିମ ନମୁନା ସଂଗ୍ରହ କରୁଛନ୍ତି । ଆଶା ଦିଦିମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଯଦି ଟେଷ୍ଟିଂ ବଢୁଛି, ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସ୍ୱାଭାବିକ । ତେଣୁ ଆମେ ଯେତେ ଟେଷ୍ଟିଂ ବଢାଇବା , ସେହିଭଳି ଭାବରେ ସଂକ୍ରମିତ ଚିହ୍ନଟ ହେବେ । ଗଂଜାମ ଜିଲ୍ଲାରେ ଟେଷ୍ଟିଂ ବଢ଼ି ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଗଞ୍ଜାମରୁ ଆମକୁ ଶିଖିବାର ଅଛି । ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯନିବାନ ହୁଅନ୍ତୁ ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ । ନିକଟରେ ୧୦୦୦ ଶଯ୍ୟା ବଢ଼ାଯାଇଛି । ସେ କହିଛନ୍ତି, ରାଜ୍ୟରେ ୪୦ ବର୍ଷରୁ କମ୍‌ ୬୪ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂକ୍ରମିତ ବୋଲି ସେ କହିଛନ୍ତି । ରାଜ୍ୟରେ ୬୩ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.