ଆଫ୍‌ଗାନିସ୍ଥାନରେ ଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତ ବାୟୁସେନା, ଆଜି ଦେଶରେ ପହଞ୍ଚିଲେ ଆଉ ୧୫୦ ଜଣ

ଭୁବନେଶ୍ୱର: ଅଗଷ୍ଟ ୧୭: ତାଲିବାନଙ୍କ କାବୁଲ୍‌ କବଜା ପରେ ଆଫଗାନିସ୍ତାନରେ ଥିବା ଭାରତୀୟଙ୍କ ପାଇଁ ବିପଦ ବଢ଼ିଯାଇଛି । ଏହି ପରିସ୍ଥିତିକୁ ଦେଖି ଭାରତ ବାୟୁସେନା କାବୁଲ ବିମାନ ବନ୍ଦରରେ ପ୍ରାୟ ସକାଳ ୭ଟା ସମୟରେ ଭାରତୀୟଙ୍କ ପାଇଁ ‘ସି-୧୭ ଗ୍ଲୋବମାଷ୍ଟର’ ବିମାନ ଅବତରଣ କରାଇଛନ୍ତି । ଭାରତୀୟ ବିମାନ ପ୍ରାୟ ୧୫୦ ଜଣ ଭାରତୀୟଙ୍କୁ ଉଦ୍ଧାର କରି ଜାମନଗର ବିମାନ ବନ୍ଦରରେ ଅବତରଣ କରାଇଛି । ଉଦ୍ଧାର ଭାରତୀୟମାନଙ୍କ ମଧ୍ୟରୁ ଭାରତୀୟ ରାଷ୍ଟ୍ରଦୂତ ରୋନେନ୍ଦ୍ର ଟଣ୍ଡନ, ଦୂତବାସ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ତାଲିବାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକ ରହିଛନ୍ତି । ରବିବାର ସି-୧୭ ଗ୍ଳୋବାମାଷ୍ଟର ବିମାନ ପ୍ରାୟ ୧୮୦ ଜଣ ଭାରତୀୟମାନଙ୍କୁ ଉଦ୍ଧାର କରିଥିଲା ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀଙ୍କ ସୂଚନା ଅନୁସାରେ, ଆଫଗାନିସ୍ଥାନରେ ବଦଳୁଥିବା ପରିସ୍ଥିତି ଉପରେ ନଜର ରଖାଯାଇଛି । ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପରାମର୍ଶ ଦିଆଯାଉଛି । ଏହାସହିତ ଭାରତୀୟଙ୍କୁ ଭାରତ ଫେରିବା ନିମନ୍ତେ ଆହ୍ୱାନ କରାଯାଉଛି । ଏକ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଭାରତୀୟମାନଙ୍କ ସକାଶେ ପ୍ରସାରଣ କରାଯାଇଛି । ଆଫ୍‌ଗାନିସ୍ଥାନରେ ବସବାସ କରୁଥିବା ଶିଖ୍‌ ଓ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଭାରତ ସରକାର ନିରନ୍ତର ଯୋଗାଯୋଗ କରୁଛନ୍ତି ।

Comments are closed.