ଆଜିଠୁ ରାଜ୍ୟରେ ଖୋଲିଲା ବୈଷୟିକ ଶିକ୍ଷା ଅନୁଷ୍ଠାନ

ଭୁବନେଶ୍ୱର: ଅଗଷ୍ଟ ୯: ବହୁ ମାସର ବ୍ୟବଧାନ ପରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷା ଅନୁଷ୍ଠାନମାନ ଖୋଲିଛି । ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପୋସିଡର୍ସ (ଏସ୍‌ଓପି)କୁ ସାରା ରାଜ୍ୟର ଶିକ୍ଷା ଅନୁଷ୍ଠାନଗୁଡ଼ିକରେ କଡ଼ାକଡ଼ି ପାଳନ କରିଯାଇଛି । ଅନୁଷ୍ଠାନମାନ ଖୋଲାଯିବା ପୂର୍ବରୁ ଶ୍ରେଣୀ ଗୃହ, ଲାଇବ୍ରେରୀ, କାର୍ଯ୍ୟାଳୟ ତଥା କଲେଜ ପରିସର ଆଦି ସ୍ଥାନକୁ ସାନିଟରାଇଜ କରାଯାଇଛି । ଦୀର୍ଘ ଦିନପରେ ଅନୁଷ୍ଠାନ ଖୋଲିଥିବାରୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।
ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ ଶ୍ରେଣୀରେ ପାଠପଢ଼ା ଲାଗି ଅନୁମତି ଦେଇଛନ୍ତି । ଓଡ଼ିଶାର ବୈଷୟିକ ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ଦେଶ ବାହାର ଛାତ୍ରଛାତ୍ରୀଙ୍କୁ କରୋନା ଟିକାର ଡବଲ୍‌ ଡୋଜ୍‌ ପ୍ରମାଣପତ୍ର ଦେଖାଇ ଅନୁଷ୍ଠାନରେ ଯୋଗ ଦେବାର ନିୟମ ରହିଛି ।
ରାଜ୍ୟରେ ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ ଓ ଫାର୍ମାସି ପାଠ୍ୟକ୍ରମର ପ୍ରାୟ ୨୦୦ଟି ଅନୁଷ୍ଠାନ ରହିଛି । ଆଇଟିଆଇ ଓ ଡିପ୍ଲୋମାରେ ଆଉ ୧୫୦ଟି ଅନୁଷ୍ଠାନ ସାମିଲ କରାଯାଇଛି । ଏହି ସବୁ ଅନୁଷ୍ଠାନରେ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଣୁ କରୋନା ସଂକ୍ରମଣମୁକ୍ତ ଶିକ୍ଷାଦାନ ପରିବେଶ ଲାଗି ବୈଷୟିକ ଶିକ୍ଷା ବିଭାଗ ସଜାଗ ହୋଇଛି ।
ଉଚ୍ଚଶିକ୍ଷା ବିଭାଗରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଚଳିତ ମାସ ୧୬ ତାରିଖରେ ଖୋଲିବ । ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ପାଠପଢ଼ା ହେବ ।

Comments are closed.