ଆଇପିଏଲରେ ହ୍ୟାଟ୍ରିକ

By Shakti Prakash Nanda

ନୂଆଦିଲ୍ଲୀ, ୧୬ା୫(ଏଜେନ୍ସି): ଆଇପିଏଲରେ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ଖୁବ କମ ବୋଲରଙ୍କୁ ମିଳିଛି । ହେଲେ ହ୍ୟାଟି୍ରକ ୱିକେଟ୍‌ ନେବାର ଅନୁଭବ ସ୍ୱତନ୍ତ୍ର । ୨୦୦୮ରୁ ଆରମ୍ଭ ଆଇପିଏଲ୍‌ ଆରମ୍ଭ ହୋଇଥିଲା । ୧୨ଟି ସଂସ୍କରଣ ମଧ୍ୟରେ ବୋଲର ୧୯ଥର ହ୍ୟାଟି୍ରକ ୱିକେଟ୍‌ ସଫଳତା ଲାଭ କରିଛନ୍ତି । ପ୍ରଥମ ସଂସ୍କରଣରେ ୩ଟି ହ୍ୟାଟି୍ରକ ଏବଂ ୨୦୧୯ ସଂସ୍କରଣରେ ୨ଟି ହ୍ୟାଟ୍ରିକ ୱିକେଟ୍‌ ସଫଳତା ମିଳିଥିଲା । ୭ଜଣ ଦ୍ରୁତ ବୋଲର ଆଇପିଏଲରେ ହ୍ୟାଟ୍ରିକ ୱିକେଟ ସଫଳତା ହାସଲ କରିଛନ୍ତି । ଅନ୍ୟ ୧୨ ହ୍ୟାଟି୍ରକ୍‌ ସ୍ପିନରଙ୍କ ନାମରେ । ଅମିତ ମିଶ୍ରା ସର୍ବାଧିକ ୩ଥର ହ୍ୟାଟ୍ରିକ ୱିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ଆଇପିଏଲରେ ହ୍ୟାଟ୍ରିକ ୱିକେଟ ସଫଳତା ପାଇଥିବା ୭ଜଣ ଦ୍ରୁତ ବୋଲରଙ୍କ ସମ୍ପର୍କରେ…
୧-ଲକ୍ଷ୍ମୀପତି ବାଲାଜୀ(ସିଏସକେ) ବନାମ ପଞ୍ଜାବ(୨୦୦୮)
୨୦୦୮ ଆଇପିଏଲର ୩୧ତମ ମ୍ୟାଚରେ ପ୍ରଥମ ହ୍ୟାଟ୍ରିକ୍‌ ୱିକେଟ ସଫଳତା ମିଳିଥିଲା । ଚେନ୍ନାଇ ସୁପର କିଙ୍ଗସ୍‌ ଓ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ଶେଷ ଓଭରରେ ଏଭଳି ଚମତ୍କାର କରିଥିଲେ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀ । ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୮୨ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କିଙ୍ଗସ୍‌ ଏକାଦଶ ପଞ୍ଜାବ ୧୧୫ରନ୍‌ ମଧ୍ୟରେ ୬ ୱିକେଟ ହରାଇ ଥିଲା । କି;ୁ ଇର୍ଫାନ୍‌ ପଠାନ୍‌ ଦ୍ରୁତ ୪୦ରନ୍‌ ସଂଗ୍ରହ କରି ଓଲଟପାଲଟ କରିଦେଇଥିଲେ । ହେଲେ ଶେଷ ଓଭର ବୋଲିଂ କରିବାକୁ ଆସିଥିବା ବାଲାଜୀ ମଙ୍ଗ ଧରିଥିଲେ । ଶେଷ ୪ଟି ବଲରୁ ପଞ୍ଜାବକୁ ଜିତିବା ପାଇଁ ୧୯ରନର ଆବଶ୍ୟକତା ଥିଲା । ବଡ ସର୍ଟ ଖେଳିବାକୁ ଯାଇ ଇର୍ଫାନ ପଠାନ, ପିୟୁଷ ଚାୱଲା ଓ ଭିଆରଭି ସିଂ ଆଉଟ୍‌ ହୋଇଥିଲେ । ଆଇପିଏଲର ପ୍ରଥମ ବୋଲର ଭାବେ ବାଲାଜୀ ହ୍ୟାଟ୍ରିକ ୱିକେଟ୍‌ ସଫଳତା ହାସଲ କରିଥିଲେ ।
୨. ମାଖୟା ଏନ୍‌ଟିନ (ଚେନ୍ନାଇ ବନାମ କୋଲକାତା-୨୦୦୮)
ବାଲାଜୀଙ୍କ ହ୍ୟାଟ୍ରିକ୍‌ର ୮ ଦିନ ପରେ ଚେନ୍ନାଇ ସୁପରକିଙ୍ଗ୍ସର ଅନ୍ୟତମ ଦ୍ରୁତ ବୋଲର ଦ.ଆଫ୍ରିକାର ମାଖୟା ଏନ୍‌ଟିନ୍‌ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ହାସଲ କରିଥିଲେ । ଐତିହାସିକ ଇଡେନ୍‌ ଗାଡେନ୍‌ରେ ଅନୁଷ୍ଠିତ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଏନ୍‌ଟିନ୍‌ଙ୍କୁ ଏହି ସଫଳତା ମିଳିଥିଲା । ପଞ୍ଚମ ଓଭରର ଶେଷ ବଲ୍‌ରେ ସେ ସୌରଭ ଗାଙ୍ଗୁଲିଙ୍କୁ ଆଉଟ୍‌ କରିଥିଲେ । ପୁନଶ୍ଚ ୧୬ତମ ଓଭରର ପ୍ରଥମ ବଲ୍‌ରେ ଦେବବ୍ରତ ଦାସ ଓ ପରବର୍ତ୍ତୀ ବଲ୍‌ରେ ଡେଭିଡ ହସିଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍‌ ପୁରଣ କରିଥିଲେ । ଏନ୍‌ଟିନ୍‌ଙ୍କ ପାଇଁ ଏହା ସ୍ୱତନ୍ତ୍ର ହ୍ୟାଟ୍ରିକ୍‌ ଥିଲା । କାରଣ ଦୁଇଟି ଓଭର ସହାୟତାରେ ସେ ହ୍ୟାଟ୍ରିକ୍‌ ପୁରଣ କରିଥିଲେ । ପ୍ରଥମ ବିଦେଶୀ ଖେଳାଳି ଭାବେ ଏନ୍‌ଟିନ୍‌ ଆଇପିଏଲ୍‌ରେ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ପାଇଥିଲେ ।
୩. ପ୍ରବୀଣ କୁମାର (ଆର୍‌ସିବି ବନାମ ରାଜସ୍ଥାନ ରୟାଲ୍‌-୨୦୧୦)
୨୦୦୯ ଆଇପିଏଲ୍‌ ସଂସ୍କରଣରେ ୩ଟି ହ୍ୟାଟ୍ରିକ୍‌ ହୋଇଥିଲା । ଏସମସ୍ତ ସଫଳତା ସ୍ପିନର ହାସଲ କରିଥିଲେ । ଅମିତ ମିଶ୍ରା ଥରେ ଓ ଯୁବରାଜ ସିଂ ଦୁଇଥର ହ୍ୟାଟ୍ରିକ୍‌ ନେଇଥିଲେ । ତେବେ ୨୦୧୦ରେ ଦ୍ରୁତ ବୋଲର ପ୍ରବୀଣ କୁମାର ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପ୍ରଥମ ହ୍ୟାଟ୍ରିକ୍‌ ସଫଳତା ହାସଲ କରିଥିଲେ । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଦାମିଏନ ମାର୍ଟିନ, ସୁମିତ ନରୱାଲ, ପାରସ ଡୋଗ୍ରା’ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍‌ ପୁରଣ କରିଥିଲେ । ପ୍ରବୀଣଙ୍କ ଯୋଗୁଁ ରାଜସ୍ଥାନ ରୟାଲ୍ସ ୮୫ ରନ୍‌ ମଧ୍ୟରେ ୭ ୱିକେଟ୍‌ ହରାଇଥିଲା । ପରେ ପରେ ୯୩ ରନ୍‌ରେ ଦଳ ଅଲ୍‌ଆଉଟ୍‌ ହୋଇଯାଇଥିଲା ।
୪. ସେନ୍‌ ୱାଟସନ (ରାଜସ୍ଥାନ ରୟାଲ୍ସ ବନାମ ହାଇଦ୍ରାବାଦ- ୨୦୧୪)
ଅଷ୍ଟ୍ରେଲିଆର ତାରକା ଅଲ୍‌ରାଉଣ୍ଡର ସେନ୍‌ ୱାଟସନ୍‌ ୨୦୧୪ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ହାସଲ କରିଥିଲେ । ତୃତୀୟ ବିଦେଶୀ ତଥା ଦ୍ୱିତୀୟ ଦ୍ରୁତ ବୋଲର ଭାବେ ଆଇପିଏଲ୍‌ରେ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ । ପୂର୍ବରୁ ମାଖୟା ଏନ୍‌ଟିନ୍‌ ଏହି ସଫଳତା ପାଇଥିଲେ । ଏନ୍‌ଟିନ୍‌ଙ୍କ ଭଳି ୱାଟସନ୍‌ ଓଭରର ଶେଷ ବଲ୍‌ରେ ଗୋଟିଏ ୱିକେଟ୍‌ ଏବଂ ପରବର୍ତ୍ତୀ ଓଭରର ପ୍ରଥମ ଦୁଇଟି ବଲ୍‌ରେ ୱିକେଟ୍‌ ଅକ୍ତିଆର କରି ହ୍ୟାଟ୍ରିକ୍‌ ପୁରଣ କରିଥିଲେ । ୨୦୧୪ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ୱାଟସନ୍‌ ଚତୁର୍ଥ ଓଭର ପ୍ରଥମ ବଲରେ ଧାୱନଙ୍କୁ ଆଉଟ୍‌ କରିଥିଲେ । ପୁନଶ୍ଚ ୧୬ ତମ ଓଭର ପ୍ରଥମ ବଲ୍‌ରେ ମୌସେସ ହେନରିକ୍ସ ଓ ପରବର୍ତ୍ତୀ ବଲ୍‌ରେ କର୍ଣ୍ଣ ଶର୍ମାଙ୍କୁ ଆଉଟ୍‌ କରିଥିଲେ ।
୫. ଆଣ୍ଟ୍ରୁ୍ୟ ଟେ (ଗୁଜରାଟ ଲାଇନ୍‌ ବନାମ ରାଇଜିଂ ପୁନେ-୨୦୧୭)
୨୦୧୭ ସଂସ୍କରଣରେ ଦୁଇଟି ନୂଆ ଦଳ ରାଇଜିଂ ପୁନେ ସୁପରଜ୍ୟାଣ୍ଟସ୍‌ ଓ ଗୁଜରାଟ ଲାୟନ୍ସ ସାମିଲ ହୋଇଥିଲେ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଦ୍ରୁତ ବୋଲର ଆଣ୍ଡ୍ରୁ୍ୟ ଟେ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ପାଇଥିଲେ । ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିବା ଟେ’ ରାଇଜିଂ ପୁନେର ଅଙ୍କିତ ଶର୍ମା, ମନୋଜ ତିୱାରୀ ଓ ସର୍ଦ୍ଦୁଲ ଠାକୁରଙ୍କୁ ଆଉଟ୍‌ କରିଥିଲେ । ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ତଥା ଚତୁର୍ଥ ବିଦେଶୀ ଖେଳାଳି ଭାବେ ଆଇପିଏଲ୍‌ରେ ହ୍ୟାଟ୍ରିକ୍‌ ୱିକେଟ୍‌ ହାସଲ କରିଥିଲେ ।
୬. ଜୟଦେବ ଉନାଦକଟ (ରାଇଜିଂ ପୁନେ ବନାମ ସନ୍‌ରାଇଜର୍ସ- ୨୦୧୭ )
୨୦୧୭ ସଂସ୍କରଣରେ ରାଇଜିଂ ପୁନେ ସୁପରଜ୍ୟାଣ୍ଟସର ଦ୍ରୁତ ବୋଲର ଜୟଦେଦ ଉନାଦକଟ ହ୍ୟାଟ୍ରିକ୍‌ ୱିକେଟ୍‌ ସଫଳତା ପାଇଥିଲେ । ରାଇଜିଂ ପୁନେ ପକ୍ଷରୁ ୧୪୯ ରନ୍‌ର ବିଜୟଲକ୍ଷ୍ୟ ଧୈର୍ଯ୍ୟ ହୋଇଥିଲା । ଏହାକୁ ପିଛା କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ୬ଟି ବଲ୍‌ରୁ ଜିତିବା ପାଇଁ ୧୩ ରନ୍‌ ଆବଶ୍ୟକ ହେଉଥିଲା । ଜୟଦେବ ଉନାଦକଟ ଶେଷ ଓଭର ବଲ ଫିଙ୍ଗି ଥିଲେ । ଏହି ଓଭରରେ ସେ ବିପୁଳ ଶର୍ମା, ରସିଦ ଖାନ୍‌ ଓ ଭୁବନେଶ୍ୱର କୁମାରଙ୍କୁ ଆଉଟ୍‌ କରିଥିଲେ । ହ୍ୟାଟ୍ରିକ୍‌ ସହ ଉନାଦକଟ ଆଇପିଏଲ୍‌ରେ ୧୦୦ ୱିକେଟ୍‌ ପୁରଣ କରିଥିଲେ ।
୭. ସାମ କୁରନ (କିଙ୍ଗ୍ସ ଏକାଦଶ ବନାମ ଦିଲ୍ଲୀ- ୨୦୧୯)
ନବାଗତ ସାମ କୁରନ ୨୦୧୯ ଆଇପିଏଲ୍‌ ସଂସ୍କରଣରେ ହ୍ୟାଟ୍ରିକ୍‌ ସଫଳତା ପାଇଥିଲେ । କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିବା କୁରନ ମ୍ୟାଚ୍‌ର ୧୮ ତମ ଓଭରରେ ଦିଲ୍ଲୀ ଡେୟରାଡେଭିଲ୍ସର ବିପର୍ଯ୍ୟୟ ଘଟାଇଥିଲେ । ୧୮ ବଲ୍‌ରୁ ଦିଲ୍ଲୀକୁ ଜିତିବା ପାଇଁ ୨୩ ରନ୍‌ର ଆବଶ୍ୟକତା ଥିଲା । ସେ ହର୍ଷାଲ ପଟେଲ, କାଗିସୋ ରବାଡା ଓ ସନ୍ଦୀପ ଲାମିଚାନେଙ୍କୁ ଆଉଟ୍‌ କରି ଏହି ସଫଳତା ପାଇଥିଲେ । ଚମକିାର ବୋଲିଂ ପାଇଁ କୁରନ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚନା କରାଯାଇଥିଲା ।

Comments are closed.