ଅର୍ଥାଭାବରୁ ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଆସୁପାରୁନାହାନ୍ତି

ଆଖି ଯନ୍ତ୍ରଣାରେ ଛଟପଟ ପୁଅ ସରକାରୀ ସହାୟତା ପାଇଁ ନିେବେଦନ

0

ଗଞ୍ଜାମ: ଅଗଷ୍ଟ ୩୦: ଦୁଇ ବର୍ଷର ପୁଅର ଆଖି ଫୁଲି ବାହାରକୁ ବାହାରି ପଡ଼ିଛି । ପାଖରେ ଯେତେ ଅର୍ଥ ଥିଲା ସବୁ ପୁଅର ଚିକିତ୍ସାରେ ସରିଗଲାଣି । ଏଣେ ସ୍ୱାମୀ ଦାଦନ ଖଟିବାକୁ ତାମିଲନାଡ଼ୁରେ ଅଛନ୍ତି । ଡାକ୍ତର ପୁଅର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ଯିବା ପାଇଁ କହିଛି । ହେଲେ ଟଙ୍କା କାହିଁ? ଏମିତି ଦୁର୍ଦଶାରେ ଦିନ ବିତାଉଛନ୍ତି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବାରୁଡା ଗ୍ରାମର ରଞ୍ଜିତା ।
ଦୁଇ ବର୍ଷ ବୟସରେ ଆଖି ଡୋଳା ବାହାରକୁ ବାହାରି ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ ବିକାଶ । ସ୍ୱାମୀ ଜୟରାମ ନାୟକ ତାମିଲନାଡୁ ପଳାଇଛନ୍ତି ପୁଅର ଚିକିତ୍ସା ନିମନ୍ତେ ଅର୍ଥ ରୋଜଗାର କରିବା ପାଇଁ । ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲଣି ଚିକିତ୍ସାରେ । ଏଣେ ମାଆ ରଞ୍ଜିତା ଗାଁରେ ଥିବା ଘର ଖଣ୍ଡିଏକୁ ୨୦ ହଜାର ଟଙ୍କାକୁ ବନ୍ଧା ପକାଇ ନିଜ ଭାଇ ଭାଉଜ ପାଖରେ ଆଶ୍ରୟ ନେଇଛନ୍ତି । ଏଭଳି ପରିସ୍ଥିତିରେ ପୁଅ ବିକାଶର ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ରଞ୍ଜିତା ।
ରଞ୍ଜିତାର ୨ ପୁଅ ଏବଂ ଗୋଟିଏ ଝିଅ ସାନ ପୁଅ ବିକାଶ ଜନ୍ମ ହେବା ପରେ ସଂପୂର୍ଣ୍ଣ ସୁସ୍ଥ ରହିଥିଲା । ହଠାତ ଏକ ବର୍ଷ ବୟସରେ ଜ୍ୱର ହେଲା । ଆଖିରେ ସଂକ୍ରମଣ ହେବା ସହ ଆଖି ଲାଲ୍‌ ପଡି ବାମ ଡୋଳା ବାହାରକୁ ବାହାରିବା ଆରମ୍ଭ ହେଲା । ସେଠାରୁ ରଞ୍ଜିତା ନିଜ ପୁଅକୁ ଚିକିତ୍ସା ନିମେ; ଶଙ୍କର ନେତ୍ରାଳୟକୁ ନେଇଥିଲେ । ସ୍ୱାମୀ ନଥିବା କାରଣରୁ ନିଜ ଭାଉଜଙ୍କୁ ସାଙ୍ଗରେ ନେଇ ରଞ୍ଜିତା ବିଭିନ୍ନ ଡାକ୍ତର ଖାନା ଘୂରି ବୁଲିଥିଲେ । ଭଞ୍ଜନଗର ଠାରୁ ଆରମ୍ଭ କରି ଜଗନ୍ନାଥପ୍ରସାଦ, ବ୍ରହ୍ମପୁର ବିଭିନ୍ନ ଡାକ୍ତରଖାନାରେ ତା’ର ଚିକିତ୍ସା କରାଇଥିଲେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରେ ବାଧ୍ୟ ହୋଇ ବାରୁଡ଼ା ଗ୍ରାମର ଘରକୁ ୨୦ ହଜାର ଟଙ୍କାରେ ବନ୍ଧା ପକାଇଛନ୍ତି । ଘର ବନ୍ଧା ପକାଇବା ପରେ ତିନି ସନ୍ତାନକୁ ସାଙ୍ଗରେ ନେଇ ବେଲଗୁଣ୍ଠା ବ୍ଳକ୍‌ ମଙ୍ଗଳପୁର ପଞ୍ଚାୟତର ଗୋଠଳି ଗ୍ରାମରେ ରହୁଥିବ ନିଜ ଭାଇ କବିରାଜ ନାୟକଙ୍କ ନିକଟରେ ଆଶ୍ରୟ ନେଇଛନ୍ତି । ବ୍ରହ୍ମପୁର ମେଡିକାଲ୍‌ ପକ୍ଷରୁ ଊନ୍ନତ ଚକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍‌ସ ମେଡିକାଲ ନେବା ପାଇଁ କୁହାଗଲା । ହେଲେ ପୁଅର ଚିକିତ୍ସା କରିବା ନିମନ୍ତେ ପାଖରେ ଆଉ ସମ୍ବଳ ନଥିବା କହିଛନ୍ତି ରଞ୍ଜିତା । କେଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ସହାୟତାରେ ପୁଅ ବିକାଶର ଚିକିତ୍ସା କରିବା ନିମନ୍ତେ ସାହାଯ୍ୟ କରିବା ପାଇଁ ମାଆ ରଞ୍ଜିତା ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.