ଅଯୋଧ୍ୟାରେ ହେବ ଭବ୍ୟ ରାମମନ୍ଦିର; ସଜେଇ ହେଲାଣି ରାମ ଜନ୍ମଭୂମି

ମୋଦିଙ୍କ ପାଇଁ କଡା ସୁରକ୍ଷା

ଭୁବନେଶ୍ୱର : ଅଗଷ୍ଟ ୦୧:ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମଗ୍ର ଅଯୋଧ୍ୟା ନଗରୀକୁ ଆକର୍ଷଣୀୟ ଭାବେ ସାଜସଜା କରାଯାଉଛି । ନଗରୀର ସୌନ୍ଦର୍ଯ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁୁତ୍ୱ ଦିଆଯାଉଛି । ଅଯୋଧ୍ୟା ରାସ୍ତାରେ ଥିବା କାନ୍ଥବାଡରେ ରଙ୍ଗ ବେରଙ୍ଗର କଳାକୃତି ଅଙ୍କନ କରାଯାଉଛି । କାନ୍ଥବାଡରେ ତ୍ରେତୟା ଯୁଗର ଝଲକ ଦେବା ପାଇଁ ରାମୟଣ କାଳୀନ ପ୍ରସଙ୍ଗର ଚିତ୍ର ଅଙ୍କନ କରୁଛନ୍ତି ସଂଖ୍ୟାଧିକ ଚିତ୍ରଶିଳ୍ପୀ । କେଉଁଠି ରାମ ଲକ୍ଷ୍ମଣ, ସୀତା ବନବାସ ଯିବାର ଦୃଶ୍ୟ ଅଙ୍କିତ ହୋଇଛି, କେଉଁଠି ହନୁମାନ ରାମଙ୍କ ଚିତ୍ରପଟ୍ଟ ରହିଛି । ଏଥିପାଇଁ ରଙ୍ଗ ଓ ତୁଳୀ ଧରି କଳାକାରଙ୍କ ଏକ ଟିମ ଅଯୋଧ୍ୟା ନଗରୀରେ କାମରେ ଲାଗିଛନ୍ତି । ଏପରି ରାସ୍ତାର ଡିଭାଇଡର ଓ ଇଲେକ୍ଟ୍ରିକ ପୋଲକୁ ମଧ୍ୟ ରଙ୍ଗ ଦିଆଯାଇଛି । ରାମ ମନ୍ଦିର ପାଇଁ ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୁଜନରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛି ପ୍ରଶାସନ ।
ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଥିବାରୁ ୩ତାରିଖରୁ ଅଯୋଧ୍ୟାରେ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଅଗଷ୍ଟ ୪ରୁ ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ । ଏଥିସହ ୫ତାରିଖରେ ଅଯୋଧ୍ୟାର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ଦିଆଯିବ ନାହିଁ । ଫୈଜାବାଦର ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖିଛନ୍ତି ସୁରକ୍ଷା କର୍ମୀ । ଅଯୋଧ୍ୟା ସିଟି ସର୍କିଲରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ କଡା ଯାଞ୍ଚ କରାଯାଉଛି । ରାଜ୍ୟ ସରକାର କରୋନା ନିୟମ ପାଳନ କରି ଭୂମି ପୂଜନ ଭଳି ବଡ ଆୟୋଜନକୁ ସଂପନ୍ନ କରିବାକୁ ଯୋଜନା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଭୂମି ପୂଜନରେ ଗହଳି ନକରିବାକୁ ଅଯୋଧ୍ୟାବାସୀଙ୍କୁ ନିବେଦନ କରିଛନ୍ତି ।

Comments are closed.