‘ଅମ୍ପାନ’ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ସଚିବ ଓ ଆଇଜି

Reported by Umakanyan Mohapatra

ଭଦ୍ରକ,୧୯ ।୦୫(ଜିପ୍ର):ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜିଲ୍ଲା ପାଇଁ ନିଯୁକ୍ତ ବାତ୍ୟା ସୁପରିଚାଳନା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ବାତ୍ୟା ପାଇଁ ଜିଲ୍ଳା ପୁଲିସ ବିଭାଗର ସୁପରିଚାଳନା ପାଇଁ ନିଯୁକ୍ତ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର (ସା), ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଡ. ଦାସ ସବିଶେଷ ତଥ୍ୟ ପ୍ରଦାନ କରି କହିଥିଲେ ଯେ ପ୍ରଶାସନ ପକ୍ଷରୁ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକକୁ ହାଇ ଆଲର୍ଟ କରାଯାଇଛି । ଦୁଇ ବ୍ଲକର ଅଧିକ ପ୍ରଭାବିତ ହେବା ଆଶଙ୍କାରେ ଥିବା ୯୧ଟି ଗ୍ରାମକୁ ବିପଦପୂର୍ଣ୍ଣ ଗ୍ରାମ ଭାବେ ଚିହ୍ନଟ କରାଯାଇଛି । ଏହି ଗ୍ରାମଗୁଡିକରୁ ସ୍ଥାନାନ୍ତର ହେବାକୁଥିବା ପ୍ରାୟ ୧ଲକ୍ଷ ୫ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବା କାର୍ଯ୍ୟ ଆଗେଇ ଚାଲିଛି । ଜିଲ୍ଳାର ୧୦୮ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨୪ଟି କ୍ୱାରେଣ୍ଟାଇନ ସେଣ୍ଟର ନିମନ୍ତେ ବ୍ୟବହୃତ ହୋଇଥିବା ବେଳେ ବାକି ରହିଥିବା ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୫୫୮ଟି ବିଦ୍ୟାଳୟରେ ମଧ୍ୟ ଲୋକମାନଙ୍କ ରଖାଯାଉଛି । ଏଥିରେ ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା କର୍ମକର୍ତ୍ତା, ବ୍ଲକ ସ୍ତରୀୟ ଅଧିକାରୀ, ନୋଡାଲ ଅଫିସରମାନେ ସଂପୃକ୍ତ ଅଞ୍ଚଳରେ ରହି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନ୍‌ଡିଆର୍‌ଏଫ୍‌ର ଗୋଟିଏ ଟିମ୍ ଚାନ୍ଦବାଲି ଓ ଅନ୍ୟ ଗୋଟିଏ ଟିମ୍‌କୁ ଧାମରା ଠାରେ ଅବସ୍ଥାପିତ ହୋଇଥିବା ବେଳେ ଓଡ୍ରାଫ୍‌ର ଗୋଟିଏ ଟିମକୁ ବାସୁଦେବପୁର ବ୍ଳକରେ ନିୟୋଜିତ କରାଯାଇଛି ଏବଂ ଅନ୍ୟ ଏକ ଟିମ୍ ଭଦ୍ରକରେ ଅଛନ୍ତି । ସେହିପରି ଗୋଟିଏ ଏନ୍‌ଡିଆର୍‌ଏଫ ଟିମକୁ ଷ୍ଟାଣ୍ଡବାୟ ରଖାଯାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।

Comments are closed.